jayashree

ଗରିମା ପରିବାରର ଉତ୍କଳ ଦିବସ ଆସନ୍ତା ଏପ୍ରିଲ ୨ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳ ସାଂସ୍କୃତିକ ପରିଷଦର ଗରିମା ପରିବାର ତରଫରୁ ପଞ୍ଚମ ଉତ୍କଳ ଦିବସ ପାଳନ ଆସନ୍ତା ଏପ୍ରିଲ ୨ତାରିଖ ଦିନ ସଂଧ୍ୟା ୬ଟାରେ ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ପାଳନ କରାଯିବ ବୋଲି ସେକ୍ଟର ୨ ସାହାନାଇ ମଣ୍ଡପଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ସୁନିଲ୍ କୟାଲଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ଶଙ୍କର ଜେନାଙ୍କ ଆବାହକତ୍ୱରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ ଚଳିତ ବର୍ଷ ଗରିମା ପରିବାର ତରଫରୁ ପଞ୍ଚମ ଉତ୍କଳ ଦିବସ ପାଳନ କରାଯିବ । ଏହି କାର୍ଯ୍ୟକ୍ରମରେ କାଦମ୍ବିନୀ ପତ୍ରିକାର ସଂପାଦିକା ଡ. ଇତିରାଣୀ ସାମନ୍ତ ମୁଖ୍ୟ ଅତିଥି, ରାଉରକେଲା ଜିଲ୍ଲା ଲୋକ ସଂପର୍କ ଅଧିକାରୀ ସୀମା ଫତିମା ଏକ୍କା ଓ ଏନଆଇଟିର ଡେପୁଟି ରେଜିଷ୍ଟ୍ରାର ସ୍ୱାଗତିକା ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେବେ । ଏହି ଅବସରରେ ସମାଜସେବୀ ରାଜଲକ୍ଷ୍ମୀ ଦାସ, ଭାରତୀ ନାହାକ ଓ ରଂଜିତା ବେହେରାଙ୍କୁ ଗରିମା ୨୦୨୩ ସମ୍ମାନରେ ସମ୍ମାନିତ କରାଯିବ । ସେହିପରି ଚଳିତ ବର୍ଷ ରାଜ୍ୟ ସରକାର କ୍ରୀଡାକୁ ଗୁରୁତ୍ୱ ଦେଇଥିବାରୁ ଗରିମା ପରିବାର ମହିଳା ଟିମ୍ ତରଫରୁ ଓଡିଶାକୁ ଗର୍ବିତ କରିଥିବା ମହିଳା ଖେଳାଳିଙ୍କ ମଡେଲ ପଦର୍ଶିତ କରାଯିବ । ସମ୍ବଲପୁରୀ ଶାଢୀର ଗୁରୁତ୍ୱ ଓ ଏହାର ମାନ ବୃଦ୍ଧି ପାଇଁ ମହିଳାମାନେ ସମ୍ବଲପୁରୀ ଶାଢୀ ପିନ୍ଧି ଫେସନ ସୋ’ରେ ଭାଗ ନେବେ । ଏହା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏପ୍ରିଲ ୧ତାରିଖ ଦିନ ଅନୁଷ୍ଠାନ ତରଫରୁ ମଧୁସୂଦନ ଦାସ, ବିର୍ସା ମୁଣ୍ଡା, ବିଜୁ ପଟ୍ଟନାୟକ ଓ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାସୁମନ ଅର୍ପଣ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ଶେଷରେ ଉପଦେଷ୍ଟା ରଶ୍ମିତ ସାହାଣୀ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମମତା ନାୟକ, ଡ. ସରିତା ମଲ୍ଲ, ନିହାରିକା ବସ୍ତିଆ, ଶାନ୍ତିଲତା ବାରିକ, ପ୍ରଣତୀ ଜେନା, ଶର୍ମିଲା ରାଜଗୁରୁ, ଶଙ୍ଖରିନା ପ୍ରଧାନ, ମମତା ଦାସ, ମୀନାକ୍ଷୀ ପାଢୀ, ଲୀନା ତ୍ରିପାଠୀ, ରଶ୍ମି ମହାନ୍ତି, ସନ୍ତୋଷୀ ମଲ୍ଲିକ, ରେବତୀ ବାରିକ, ମୋନାଲିସା ଗୌଡ, ଦେବସ୍ମିତା ଶତପଥୀ, ସୁନିତା ଶ୍ରୀନିବାସନ, ସୁମିତା ମହାନ୍ତି, ସୁମିତ୍ରା ଦାସ, ସୁଶ୍ରୀ ମୋନାଲିସା ସାହୁ, ମୀନତି ମୋଦି, ଡି ନାରାୟଣ ରାଓ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗ ଦେବାପାଇଁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.