jayashree

ଓଡ଼ିଶୀ ଗବେଷଣା କେନ୍ଦ୍ରରେ “ଓଡ଼ିଶୀ ସଙ୍ଗୀତ ଉତ୍ସବ” ଉଦ୍‌ଘାଟିତ : କାଳଜୟୀ ପାରମ୍ପରିକ ରଚନାକୁ ନେଇ ସଂଗୀତ ପରିବେଷଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆୟୋଜିତ “ଓଡ଼ିଶୀ ସଙ୍ଗୀତ ଉତ୍ସବ” ଗତକାଲି ସନ୍ଧ୍ୟାରେ ଗବେଷଣା କେନ୍ଦ୍ରର ଭବ୍ୟ ପ୍ରେକ୍ଷାଳୟ ‘ଉତ୍କଳ ରଂଗମଚ’ରେ ଉଦ୍‌ଘାଟିତ ହୋଇଯାଇଛି । ଏହି ଉତ୍ସବ ଦୁଇ ଦିନ ଧରି ଅନୁଷ୍ଠିତ ହେବ । ଏହି ଉତ୍ସବର ମୁଖ୍ୟ ଲକ୍ଷ୍ୟ ବା ଉଦ୍ଦେଶ୍ୟ ହେଉଛି ଆମ ସଂସ୍କୃତିର ଅନ୍ୟ ଏକ ଅଙ୍ଗ ଓଡ଼ିଶୀ ସଂଗୀତର ବହୁଳ ପ୍ରଚାର ଏବଂ ପ୍ରସାର କରି ଦେଶ ଏବଂ ଦେଶ ବାହାରେ ଅଧିକରୁ ଅଧିକ ଜନାଦୃତ କରାଇବା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ପର୍ଯ୍ୟଟନ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ତଥା ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ନିର୍ଦ୍ଦେଶକ ସ୍ୱତନ୍ତ୍ର ଶାସନ ସଚିବ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ରଞ୍ଜନ କୁମାର ଦାସ, ବରିଷ୍ଠ ଓଡ଼ିଶୀ ନୃତ୍ୟଶିଳ୍ପୀ ଶ୍ରୀମତୀ କୁମ୍‌କୁମ୍‌ ମହାନ୍ତି ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଉଦ୍‌ଘାଟନୀ ଉତ୍ସବର ପ୍ରଥମ ଚରଣରେ ବରିଷ୍ଠ କଣ୍ଠଶିଳ୍ପୀ ଆଶାଲତା ଷଡଙ୍ଗୀ ପାରମ୍ପରିକ ଓଡ଼ିଶୀ ସଂଗୀତ ଗାୟନ କରିଥିଲେ । ତାଙ୍କ ଦ୍ୱାରା ପରିବେଷିତ ଛାନ୍ଦ “ଶ୍ରୀରାଧା ବାତୁଳୀ.. ପ୍ରେମ ରସାତୂଳି..” ସଙ୍ଗୀତ ବେଶ୍‌ ଶ୍ରୁତିମଧୁର ହୋଇଥିଲା । ପରେ ପରେ ବିଶିଷ୍ଟ ବେହେଲା ବାଦକ ରମେଶ ଚନ୍ଦ୍ର ଦାସ ବେହେଲା ପରିବେଷଣ କରିଥିଲେ । କାର୍ଯ୍ୟକ୍ରମର ତୃତୀୟ ଚରଣରେ ସୁନାମଧନ୍ୟା କଣ୍ଠଶିଳ୍ପୀ ନାଜିଆ ଆଲାମ୍‌ ସୁମଧୁର ଓଡ଼ିଶୀ ସଙ୍ଗୀତ ଗାନ କରିଥିଲେ । କାର୍ୟ୍ୟକ୍ରମର ଶେଷରେ ବିଶିଷ୍ଟ ସୀତାର ବାଦକ ସ୍ୱପ୍ନେଶ୍ୱର ଚକ୍ରବତ୍ତୀ ଏବଂ ସ୍ୱନାମଧନ୍ୟ ବଂଶୀ ବାଦକ ଶ୍ରୀନିବାସ ଶତପଥୀଙ୍କ ସୀତାର ଓ ବଂଶୀ ଉଭୟ ଯୁଗଳବନ୍ଦୀର ସୁନ୍ଦର ପରିବେଷଣ ଉପସ୍ଥିତ ସମସ୍ତ ଦର୍ଶକଙ୍କ ଠାରୁ ଭୂରୀ ଭୂରୀ କରିତାଳି ସାଉଁଟିଥିଲା । ଏହି ସାଂସ୍କୃତିକ ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଏବଂ ଓଡ଼ିଶୀ ସଙ୍ଗୀତ ଜଗତର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରେ ଥିଲେ, ପଣ୍ଡିତ ଗୋପାଳ ଚନ୍ଦ୍ର ପଣ୍ଡା, ବରିଷ୍ଠ ଓଡ଼ିଶୀ ସଂଗୀତ ଗବେଷକ କୀତ୍ତନ ନାରାୟଣ ପାଢୀଙ୍କ ସେମତ ଅନେକ ଗାୟକ, ବାଦକ ଓ ନୃତ୍ୟଶିଳ୍ପୀ ଆଦି ଯୋଗଦାନ କରିଥିଲେ । ମୁଖ୍ୟନିର୍ବାହୀ, ଓଡ଼ିଶୀ ଗବେଷଣା କେନ୍ଦ୍ର, ସୁବୋଧ ଚନ୍ଦ୍ର ଆଚାର୍ୟ୍ୟଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ପ୍ରଶାସନିକ ଅଧିକାରୀ ଅନୁଜା ତାରିଣୀ ମିଶ୍ର । ସଂଯୋଜନା କରିଥିଲେ ଡଃ. ମୃତ୍ୟୁଞ୍ଜୟ ରଥ । ଆଜି ଏହି ଉତ୍ସବର ଉଦ୍‌ଯାପନୀ ସଂନ୍ଧ୍ୟା ଅନୁଷ୍ଠିତ ହେବ ।

Leave A Reply

Your email address will not be published.