ଗାନ୍ଧୀଙ୍କ ସତ୍ୟ ଅହିଂସା ନୀତି ବିଶ୍ଵଶାନ୍ତିର ଅମୋଘ ଅସ୍ତ୍ର : ୫୫ତମ ବେରବୋଇ ଗାନ୍ଧୀ ସେବାସଂଘ ସ୍ମାରକୀ ସମ୍ମିଳନୀରେ ସାର୍ବଜନୀନ ମତ
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜିର ସମାଜରେ ପ୍ରତିଟି ମଣିଷ ଗାନ୍ଧୀଙ୍କ ସତ୍ୟ ଓ ଅହିଂସା ନୀତିକୁ ଆପଣାଇ ନିଜ ନିଜ କାର୍ଯ୍ୟରେ ଆଗେଇ ଚାଲିଲେ ବିଶ୍ଵରେ ଶାନ୍ତି ସଦ୍ଭାବନା ପ୍ରତିଷ୍ଠା ସମ୍ଭବ ହେବ ଏବଂ ବିଶ୍ଵ ସମୁଦାୟରେ ଶାନ୍ତି ବଜାୟ ରହିବା ପାଇଁ ଗାନ୍ଧୀଙ୍କ ସତ୍ୟ ଅହିଂସା ନୀତି ଅମୋଘ ଅସ୍ତ୍ର ବୋଲି ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ବେରବୋଇଠାରେ ଅନୁଷ୍ଠିତ ୫୫ତମ ଗାନ୍ଧୀ ସେବାସଂଘ ସ୍ମାରକୀ ସମ୍ମିଳନୀରେ ଯୋଗ ଦେଇ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଦୃଢ଼ ଭାବରେ ମତବ୍ୟକ୍ତ କରିବା ସହ ସେହି ମହାନ୍ ମାର୍ଗକୁ ପ୍ରତ୍ୟେକ ଆପଣାଇବାକୁ ଆହ୍ୱାନ ଦେଇଥିଲେ । ଗାନ୍ଧୀ କମିଟିର ସଭାପତି ଇଂ ବିଚିତ୍ରାନନ୍ଦ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପୁରୀ ସର୍ବୋଦୟ ମେଳା କମିଟିର ସଭାପତି ଉମାବଲ୍ଲଭ ମହାପାତ୍ର ଓ ସମ୍ପାଦକ ଶିବପ୍ରସାଦ ମିଶ୍ର ଯୋଗଦେଇ ୧୯୩୮ ମାର୍ଚ୍ଚ ୨୫ରୁ ୩୧ମଧ୍ୟରେ ଗାନ୍ଧୀଙ୍କ ସପରିବାର ସଂଗ୍ରାମୀଙ୍କ ପବିତ୍ର ପୀଠ ବେରବୋଇରେ ରହଣି ସମୟର କାର୍ଯ୍ୟପନ୍ଥା, ଗ୍ରାମ୍ୟ ଶିଳ୍ପ, କୃଷି ମାଧ୍ୟମରେ ଆତ୍ମନିର୍ଭରଶୀଳ ହେବା, ଗାନ୍ଧୀଙ୍କ ସାମ୍ୟବାଦ ନୀତି ସହ ସନ୍ନିବେଶିତ ଭାରତୀୟ ମହାନ୍ ସଂସ୍କୃତିର ବୈଜ୍ଞାନିକ ପୃଷ୍ଠଭୂମି, ସଂସ୍କାର, ଦର୍ଶନ ଓ ସାମ୍ପ୍ରତିକ ସମାଜ ଉପରେ ତୁଳନାତ୍ମକ ଆଲୋକପାତ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ଡେଲାଙ୍ଗ ଡିଗ୍ରୀ କଲେଜର ଅଧ୍ୟକ୍ଷ ଡ଼. ସରୋଜ କୁମାର ପଣ୍ଡା ଗାନ୍ଧୀଙ୍କ ସତ୍ୟାଗ୍ରହ, ସ୍ୱଦେଶୀ ନୀତି, ନିଶା ନିବାରଣ, ସ୍ୱାଧୀନତା ସଂଗ୍ରାମ ଉପରେ ମାର୍ମିକ ବକ୍ତବ୍ୟ ଦେଇଥିଲେ ।
ସମ୍ପାଦକ ଚନ୍ଦ୍ରଶେଖର ବିଶ୍ୱାଳ ଐତିହ୍ୟଯୁକ୍ତ ଗରିମାମୟ ବିବରଣୀ ପାଠ ଜରିଆରେ ଏହାର ଅତୀତ, ବର୍ତ୍ତମାନର ସ୍ଥିତି, ଅବହେଳା, ପୀଠର ଅଭାବ ଅସୁବିଧା ଆଦି ଉପସ୍ଥାପିତ କରି ଏହାର ଉନ୍ନତି ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ, ଜିଲ୍ଲା ପରିଷଦ ସଦସ୍ୟା ଦିପ୍ତୀଶ୍ରୀ ରାଉତରାୟ, ପ୍ରାକ୍ତନ ଶିଶୁ ସୁରକ୍ଷା ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ, ମହିଳା ସଭାନେତ୍ରୀ ନିରୁପମା ପାତ୍ର, ବର୍ଷିୟାନ୍ ସାହିତ୍ୟିକ ତଥା ବିଶିଷ୍ଟ କବି ସୂର୍ଯ୍ୟ ମିଶ୍ର, ପ୍ରିୟ ପତ୍ର ସମ୍ପାଦକ ବିପିନ ଦଳାଇ, ଆଇନଜୀବୀ ଅନୁପ ପରିଡ଼ା, ଶିକ୍ଷାବିତ୍ ରମେଶ ପାତ୍ର, ବିଶିଷ୍ଟ ପ୍ରବଚକ ଶରତ ରାଉତ, ପାନୀୟଜଳ ପଞ୍ଚାୟତିରାଜ ବିଭାଗର ରାଜ୍ୟସ୍ତରୀୟ ପ୍ରଶିକ୍ଷକ ପ୍ରଶାନ୍ତ ମହାପାତ୍ର, କଳାକାର ପବିତ୍ର ପରିଡ଼ା, ଉତ୍କଳ ସର୍ବୋଦୟ ମଣ୍ଡଳର ଇନ୍ଦୁମତି ସାହୁ, ମାଳତୀ ପାତ୍ର, ମିଳିତ ଓଡ଼ିଶା ନିଶା ନିବାରଣର ସଭ୍ୟ କୈଳାସ ମଲ୍ଲିକ୍ ପ୍ରମୁଖ ଯୋଗ ଦେଇ ନିଶା ଓ ହିଂସା ଛାଡି ଏକତ୍ରିତ ହୋଇ ସମାଜର ଉନ୍ନତି ସହ ଏହି ପୀଠର ପ୍ରଗତି ପାଇଁ କାର୍ଯ୍ୟ କରିବାକୁ ସମବେତ ଜନତାଙ୍କୁ ନିବେଦନ କରିଥିଲେ । ସଭାରେ ଅତିଥି ପରିଚୟ, କାର୍ଯ୍ୟକ୍ରମ ସଂଯୋଜନା, ମଞ୍ଚ ପରିଚାଳନା ଓ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ପ୍ରଖ୍ୟାତ ଗାନ୍ଧିବାଦୀ ଲେଖକ, ଚିନ୍ତକ, ଗବେଷକ ସ୍ତମ୍ଭକାର ଗୌରାଙ୍ଗ ଚରଣ ପରିଡ଼ା ।
ସଭା ଆରମ୍ଭ ପୂର୍ବରୁ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନଙ୍କ ଦ୍ଵାରା ମାଲ୍ୟାର୍ପଣ କରାଯାଇ କସ୍ତୁରବା ଟ୍ରଷ୍ଟ ସଂଚାଳିକା କବିତାରାଣୀ ପରିଡ଼ା ଓ ଅନପୂର୍ଣ୍ଣା ମିଶ୍ରଙ୍କ ତତ୍ତ୍ୱାବଧାନରେ ଅତିଥିମାନଙ୍କ ଗହଣରେ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା । ପରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ଗାନ୍ଧୀ ଓ କସ୍ତୁରବାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉତ୍ସବକୁ ଉଦ୍ଘାଟନ କରାଯାଇଥିଲା । ମଞ୍ଚରେ ପିପିଲି ପଲ୍ଲବୀ ଅନୁଷ୍ଠାନ ଷଡାଙ୍ଗୋଇର ମାଷ୍ଟର ବିଶିଷ୍ଟ କଳାକାର ପବିତ୍ର ପରିଡ଼ା ଓ ଦଳଙ୍କ ଦ୍ଵାରା ପରିବେଷିତ ହୃଦୟସ୍ପର୍ଶୀ ଗାନ୍ଧୀଙ୍କ ପ୍ରିୟ ଭଜନ ‘ବୈଷ୍ଣବ ଜନ ତୋ’,ରଘୁପତି ରାଘବ, ରବିନ୍ଦ୍ର ନାଥ ଠାକୁରଙ୍କ ‘ଯଦି ତୋର ଡାକ ଶୁଣି କେଇ ନ ଆସେ’ ସମଗ୍ର ବାତାବରଣକୁ ନୀତି ଓ ଗାନ୍ଧୀମୟ କରିଥିଲା । ପରମ୍ପରା ଆଧାରରେ ଡେଲାଙ୍ଗ ୟୁଜିୟୁପି ସ୍କୁଲର ସାହିତ୍ୟ ସଂସ୍କୃତିପ୍ରେମୀ ଶିକ୍ଷକ ଅଭୟ ଚରଣ ସାହୁଙ୍କ ତତ୍ତ୍ୱାବଧାନରେ ସେହି ସ୍କୁଲର ଛାତ୍ରୀମାନଙ୍କ ଦ୍ଵାରା ଆବାହନୀ ସଂଗୀତର ତାଳେ ତାଳେ ଅତିଥିମାନଙ୍କୁ ଆତିଥ୍ୟ ପ୍ରଦାନ ସମସ୍ତଙ୍କୁ ବିମୋହିତ କରିଥିଲା । ସବୁ ଅତିଥିମାନଙ୍କ ସହ କମିଟିର ବରିଷ୍ଠ ସଦସ୍ୟ ବଲ୍ଲଭ ବିଶ୍ୱାଳ, ଶିକ୍ଷାବିତ୍ କୁନ୍ତଳା ବିଶ୍ଶ୍ୱାଳ, ବରିଷ୍ଠ ଗାନ୍ଧୀ ବାଣୀ ପ୍ରଚାରକ ଅନାମ ମଲ୍ଲିକ, କବିତାରାଣୀ ପରିଡ଼ା, ଯୁବ ସମାଜସେବୀବୃନ୍ଦ ଦ୍ଵିତିକୃଷ୍ଣ ରାଉତରାୟ, ଭାଗୀରଥି ପରିଡ଼ା, ସର୍ବେଶ୍ଵର ବରେଇ, ସନ୍ତୋଷ ବିଶ୍ୱାଳ, ଅମରେନ୍ଦ୍ର ବାରିକ, ସାହିତ୍ୟିକ କାଶୀନାଥ ମହାପାତ୍ର, କର୍ମୀ ସୁରେଶ ମନ୍ତ୍ରୀ, ସ୍ନେହମୟୀ ବାରିକ, ସୁପ୍ରଭାତ ପ୍ରଧାନ, ଶିକ୍ଷକ କ୍ଷେତ୍ରବାସୀ ଆଳୁକ, କୈଳାସ ସ୍ୱାଇଁ, ଅଶୋକ ପ୍ରଧାନ, ଫକିର ଦାସ, ଜିତେନ୍ଦ୍ର ପ୍ରଧାନ, ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ ଓ ଅନ୍ୟମାନେ ୫୪ବର୍ଷ ପରେ ବି ଗାନ୍ଧୀ ପୀଠର ଏବେବି ଅବହେଳିତ ଅବସ୍ଥା ଦେଖି ଦୁଃଖ ଓ ଅସନ୍ତୋଷ ପ୍ରକାଶ କରିବା ସହ ପୀଠର ଆଲୋକୀକରଣ, ସନ୍ନିକଟ ପୁଷ୍କରିଣୀର ପୁନରୁଦ୍ଧାର, ଖୋଲା ଛାତ ଓ ପ୍ରାର୍ଥନା ମଣ୍ଡପ ସହ ବ୍ରୋଞ୍ଜ ପ୍ରତିମୂର୍ତ୍ତୀ ସ୍ଥାପନ, କୁଟୀର ଶିଳ୍ପ ପ୍ରତିଷ୍ଠା, ଗାନ୍ଧୀଙ୍କ ଫଟୋଚିତ୍ର କାର୍ଯ୍ୟକ୍ରମ ପ୍ରଦର୍ଶନ କକ୍ଷ, ସଭାଗୃହ, ଅତିଥିମାନଙ୍କ ରହିବା ସୁବିଧା, ଉଦ୍ୟାନ, ଗାନ୍ଧୀ ପାଠାଗାର ଓ ସଂଗ୍ରହାଳୟ ପ୍ରତିଷ୍ଠା ସର୍ବୋପରି ଏହାକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଉପରେ ଏକ ସ୍ଵରରେ ସମସ୍ତେ ଦାବୀ କରିଥିଲେ । ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ଉଦ୍ଦେଶ୍ୟରେ ତାଙ୍କ ପରିବାର ତରଫରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ଡେଲାଙ୍ଗ ନୋଡାଲ ବାଳିକା ହାଇସ୍କୁଲ୍ର ୮ମ ଶ୍ରେଣୀର ଗରିବ ମେଧାବୀ ଛାତ୍ରୀ ଶୁଭଶ୍ରୀ ବଳିୟାର ସିଂହଙ୍କୁ ୩ ହଜାର ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯାଇଥିଲା । ଶିକ୍ଷକ ଅଭୟ ଚରଣ ସାହୁଙ୍କ ସଂଯୋଜନାରେ କବି କବୟିତ୍ରୀ ସରୋଜିନୀ ଜେନା, ଲକ୍ଷ୍ମୀପ୍ରିୟା ଦାଶ, ଶରତ ମହାପାତ୍ର, ସୁଦର୍ଶନ ପ୍ରଧାନ, ଶିଶୁ କବି ସତ୍ୟଜିତ ଧାଉଡ଼ିଆ, ହୃଷିକେଶ ପାଢ଼ୀ, ବ୍ୟଙ୍ଗକବି ଶ୍ରୀମାନ୍ ଗବା ସ୍ୱରଚିତ ଗାନ୍ଧୀ କବିତା ସହ ସମାଜର କଥାକୁ ଯୋଡି କବିତା ଉପସ୍ଥାପନ ସଭାରେ ଏକ କବିତାଯୁକ୍ତ ଗାନ୍ଧମୟ ପରିବେଶ ସୃଷ୍ଟି କରି ସମସ୍ତଙ୍କ ମନରେ କୌତାହଳ ଓ ଆବେଗଭରା ଆନନ୍ଦ ସୃଷ୍ଟି କରିଥିଲା । ସମ୍ମିଳନୀରେ ଫକୀର ଚରଣ ପାଢୀଙ୍କ ଦୁଇଟି ପୁସ୍ତକ ଧନ୍ୟବାଦ ଓ ଶିଷ୍ଟାଚାର ଲୋକାର୍ପିତ ହୋଇଥିଲା । ସଭାରେ ଅତିଥି, କବି, କବୟିତ୍ରୀମାନଙ୍କୁ ଉତ୍ତରୀୟ ସୂତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ସଫଳତା ପାଇଁ ଶେଷରେ କମିଟିର ଉପସଭାପତି କୁନ୍ତଳା ବିଶ୍ୱାଳ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।