
ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା ଏପ୍ରିଲ ପହିଲା ଉତ୍କଳ ଦିବସକୁ ରାଉରକେଲାବାସୀ ସ୍ୱାଭିମାନ ଦିବସ ଭାବେ ପାଳନ କରିବାକୁ ରାଉରକେଲା ନାଗରିକ ସୁରକ୍ଷା କମିଟି ଆହ୍ୱାନ କରିଛି । ସାରନଗରୀ ସ୍ଥିତ ବାସନ୍ତୀ ଯୁବ ପରିଷଠାରେ ଅନୁଷ୍ଠିତ କମିଟିର ଆଲୋଚନା ସଭାରେ ସମାଜସେବୀ ଡ. ଅକ୍ଷୟ ସାମଲ ଅଧ୍ୟକ୍ଷତା କରିଥିଲେ । ଏହି ଆଲୋଚନା ସଭାରେ କମିଟିର ପ୍ରମୁଖ ସଦସ୍ୟ ବିଷ୍ଣୁ ମହାନ୍ତି, ହରିହର ରାଉତରାୟ, ସଂଜୀବ ମହାନ୍ତି, ପ୍ରଶାନ୍ତ ସେଠୀ, ହୃଦୟାନନ୍ଦ ଯାଦବ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିବା ସହିତ ରାଉରକେଲା ଦୀର୍ଘଦିନ ଧରି ବିଭିନ୍ନ କ୍ଷେତ୍ରରେ ବୈମାତୃକ ମନୋଭାବର ଶିକାର ହେଉଥିବା ବେଳେ ବିଭିନ୍ନ ନ୍ୟାଯ୍ୟ ପ୍ରାପ୍ୟ ପାଇବାରୁ ବଂଚିତ ହୋଇଆସୁଛି । ଏହା ବିରୋଧରେ ରାଉରକେଲାର ଜନସାଧାରଣ ଏକଜୁଟ ହେବାକୁ ଆହ୍ୱାନ କରିବା ସହ ଆସନ୍ତା ଏପ୍ରିଲ ପହିଲା ଉତ୍କଳ ଦିବସକୁ ସ୍ୱାଭିମାନ ଦିବସ ଭାବେ ପାଳନ କରିବାକୁ ନିବେଦନ କରାଯାଇଛି । ରାଉରକେଲା ସୁପର ସ୍ପେସାଲିଟି ହସ୍ପିଟାଲକୁ ଏମ୍ସ ଦ୍ୱାରା ପରିଚାଳନା କରିବା ଓ କେନ୍ଦ୍ର ସରକାରଙ୍କ ପ୍ରତିଶ୍ରୁତି ମୁତାବକ ମେଡିକାଲ କଲେଜ ପ୍ରତିଷ୍ଠା କରିବା, ତାଳଚେର ବିମଳାଗଡ ରେଳପଥ ତୁରନ୍ତ ନିର୍ମାଣ କାର୍ଯ୍ୟ ଶେଷ କରିବା, ରାଉରକେଲାକୁ ଏକ ସ୍ଵତନ୍ତ୍ର ରେଳ ଡିଭିଜନ ଘୋଷଣା କରିବା, ରାଉରକେଲାରେ ଏକ ସାଧାରଣ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା କରିବା ସହିତ ରାଉରକେଲା ସରକାରୀ ସ୍ଵୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟର ମାନ୍ୟତା ପ୍ରଦାନ କରିବା, ରାଉରକେଲା ବିମାନ ବନ୍ଦରକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା ପ୍ରଭୃତି ଦାବୀରେ ଆସନ୍ତା ଏପ୍ରିଲ ପହିଲା ଉତ୍କଳ ଦିବସକୁ ସ୍ୱାଭିମାନ ଦିବସ ଭାବେ ପାଳନ କରାଯିବା ସହ ଆମ୍ବାଗାନ ସ୍ଥିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ଉକ୍ତ ଦିନ ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଗଣଧାରଣା କାର୍ଯ୍ୟକ୍ରମ ସଂଗଠିତ କରାଯିବ । ଏହି ଆଲୋଚନା ସଭାରେ ଅନ୍ୟମାନଙ୍କ ମଧ୍ୟରେ କମିଟିର ଜାହାଙ୍ଗୀର ଅଲ୍ଲୀ, ବିମାନ ମାଇତି, ଶ୍ରୀମନ୍ତ ବେହେରା, ସୁରେନ୍ଦ୍ର ଦାଶ, ରାଜ କିଶୋର ପ୍ରଧାନ, ଅରୁ ଦାସ, ବିନୟ ବେଉରିଆ, ସୁବାସ ବର୍ଦ୍ଧନ, ତାଜମୁନ୍ ନେହାର, ବୁଧନୀ ମୁଣ୍ଡାରୀ, ଶାନ୍ତି ମିଞ୍ଜ, ରବି କୁମାର ବେହେରା, ଭଜ ରାଉତ, କେଶବ ସାହୁ, ସୁବାସ ପାତ୍ର, ଅଲେଖ ସାହାଣୀ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ଦ୍ୱାଭିମାନ ଦିବସକୁ ସଫଳ କରିବାକୁ ଆହ୍ୱାନ କରିଥିଲେ ।