ଆଉ ନାହାନ୍ତି “ବିଜେ ଗୁପଚୁପ ଓ୍ଵାଲା”

ପଦ୍ମପୁର, (ନିରୋଜ କୁମାର ପାଣୀ) : ସମସ୍ତଙ୍କ ଅତି ପ୍ରିୟ “ବିଜେ ଗୁପଚୁପ ଓ୍ଵାଲା” ଆଉ ନାହାନ୍ତି । ହନୁମାନପଡା ନିବାସୀ ବିଜୟ କୁମାର ନାୟକଙ୍କ ୫୯ ବର୍ଷ ବୟସରେ ହୃଦ୍‌ଘାତରେ ପରଲୋକ ହୋଇଯାଇଥିବା ଜଣାପଡିଛି । ପଦ୍ମପୁରର ସମସ୍ତ ଗଳିକନ୍ଦି, ଛକ, ଚା’ ଦୋକାନ, ବଜାର, ସବୁଠି ଚର୍ଚ୍ଚା “ବିଜେ ଗୁପଚୁପ ଓ୍ଵାଲା” ଚାଲିଗଲେ । ସୂଚନା ଯୋଗ୍ୟ ଯେ, ସବୁଦିନ ପରି ଗତକାଲି ମଧ୍ୟ ପରିବାର ସଦସ୍ୟଙ୍କ ସହ ସକାଳ ବେଲା ଗୁପ୍‌ଚୁପ୍‌, ଚଣା, ଆଳୁ, ମସଲା ଆଦି ପ୍ରସ୍ତୁତରେ ଲାଗି ପଡିଥିଲେ ବିଜୟ ନାୟକ । ପରେ ମଧ୍ୟାହ୍ନ ଭୋଜନ ସାରି ନିଜ ଘରେ ବିଶ୍ରାମ ନେଉଥିବା ସମୟରେ ହଠାତ୍ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ସ୍ଥାନୀୟ ଉପଖଣ୍ଡ ଡାକ୍ତରଖାନାକୁ ନିଆଯାଇଥିଲା । ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ବେ ସେ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ । ବିଜୟ ନାୟକଙ୍କ ସରଳ ନିଷ୍କପଟ, କର୍ମଠ ତଥା କୌତୁକିଆ ବ୍ୟକ୍ତିତ୍ବ କାହାର ହୃଦୟରେ ପ୍ରେରଣାର ଉତ୍ସ, ତ କାହା ପାଇଁ ସ୍ମୁତିର ତାଜମହଲଟିଏ ବୋଲି ମତ ପ୍ରକାଶ ପାଇଛି । ଗତକାଲି ସଂନ୍ଧ୍ୟାରେ ବଂଧୁ ପରିଜନ, ସହରର ବହୁ ବ୍ୟକ୍ତି ବିଶେଷ, ତାଙ୍କର ଶବାଧାରରେ ଉପସ୍ଥିତ ରହି ଅନ୍ତିମ ଦର୍ଶନ କରି ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ସ୍ଥାନୀୟ ସ୍ବର୍ଗ ଦ୍ବାରଠାରେ ତାଙ୍କ ଏକମାତ୍ର ପୁଅ ରୂପେଶ ମୁଖାଗ୍ନି ଦେଇଥିଲେ । ସେ ତାଂକ ପଛରେ ବଡ ପରିବାର, ବଂଧୁ ପରିଜନ ସହ ତାଙ୍କର ସ୍ତ୍ରୀ ତପସ୍ୱିନୀଙ୍କୁ ଛାଡି ଚାଲିଯାଇଛନ୍ତି । ତାଂକର ବିୟୋଗରେ ପଦ୍ମପୁର ସହର ତଥା ଆଖପାଖ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Leave A Reply

Your email address will not be published.