ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଫୋନ୍ କଲ୍ କରିବା ପରେ ବି ଆସିଲାନି ଆମ୍ବୁଲାନ୍ସ । ଠେଲା ଗାଡିରେ ମେଡିକାଲ ନେଲେ ପରିବାର ଲୋକେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳରେ । ମୃତକ ଜଣକ ଜାରକା କୁମାରୀ ଅଞ୍ଚଳର ଅରଣ୍ୟ ଗୁଇଁଙ୍କ ସ୍ତ୍ରୀ ଗେଡି ଗୁଇଁ ବୋଲି ଜଣାପଡିଛି । ଖବର ଅନୁଯାୟୀ, ବୁଧବାର ଦିନ ସକାଳ ସମୟରେ ଶୌଚ ହୋଇ ୧୬ ନମ୍ବର ଜାତୀୟ ରାଜପଥ ପାର୍ ହେଉଥିବା ସମୟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ରାଜପଥ କଡ଼ରେ ଗୁରୁତର ଭାବେ ପଡିଥିଲେ ଗେଡି ଗୁଇଁ । ଏହାପରେ ପରିବାର ଲୋକେ ତୁରନ୍ତ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । କିନ୍ତୁ ଆମ୍ବୁଲାନ୍ସ ଆସିନଥିଲା । ଶେଷରେ ପରିବାର ଲୋକେ ଏକ ଠେଲାରେ ଧର୍ମଶାଳା ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ସେପଟେ ଘଟଣାକୁ ନେଇ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଧର୍ମଶାଳା ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡିଛି ।