
ରାଉରକେଲା, (ସସ୍ମିତା ପ୍ରଧାନ) : କମ୍ୟୁନିଟି ୱେଲଫେୟାର ସୋସାଇଟି (ସିଡବ୍ଲୁଏସ୍) ପକ୍ଷରୁ ମହିଳାଙ୍କ ଆନୁଷ୍ଠାନିକ ସଭା ସେକ୍ଟର ୧୫ ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି । ସିଷ୍ଟର କୁସୁମ ଓ ରୀନାରାଣୀ ଲେଙ୍କାଙ୍କ ଆବାହକତ୍ୱ ଓ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଫେସର ପ୍ରମିଳା ପଣ୍ଡା ମୁଖ୍ୟଅତିଥି ଓ ମଞ୍ଜୁଳା ରଥ ମୁଖ୍ୟବକ୍ତା ଭାବେ ଯୋଗଦେଇ ଡିଜିଟାଲ ଲିଙ୍ଗଗତ ସମାନତା ପାଇଁ ଅଭିନବ ପ୍ରଯୁକ୍ତି ଶିକ୍ଷା ତଥା ମହିଳାଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଓ ଦାୟିତ୍ୱବୋଧ ସଂପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୧ଟି ମହିଳା ଅନୁଷ୍ଠାନ ଯଥା ତୁଳସୀ, ମା’ ବିରଜା, ମା’ ଶାରଳା, ରୋଜଗୃପ, ଅଲିଭା, ଶୁଭମ, ଅଞ୍ଜନା, ସାଇଲକ୍ଷ୍ମୀ, ମା’ ଦୁର୍ଗା, ସାହାରା, ଶିବାନୀ ଓ ଶାଳିନୀ ମହିଳା ଗୃପରୁ ଶତାଧିକ ସଭ୍ୟା ଯୋଗଦେଇ ଥିଲେ । ଏହି ଅବସରରେ ସଂଗୀତ, ନୃତ୍ୟ ପରିବେଷଣ ସହ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ମହିଳା ଅନୁଷ୍ଠାନର ଶ୍ରେଷ୍ଠ ସଭାପତି ଭାବେ ବିଜୟଲକ୍ଷ୍ମୀ ପାତ୍ର ଓ ଶ୍ରେଷ୍ଠ ସଂପାଦକ ଭାବେ ସୁକମତୀ ସୋରେନଙ୍କୁ ସମ୍ମାନିତ କରାଯାଇଥିଲା । ଶେଷରେ ସୁମିତ୍ରା ଗୋଛାୟତ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସିଷ୍ଟର ସୁସ୍ମିତା, ସିଷ୍ଟର ମେରୀ, ସୁଜାତା, ରୀନା ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ । ମହିଳାଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଆବାହକ ରୀନାରାଣୀ ଲେଙ୍କା କହିଥିଲେ ।