ଟିଟିଲାଗଡଠାରେ ଆୟୋଜିତ ଜାତୀୟ କୋସଲି ଭାଷା ସମ୍ମିଳନୀର ପ୍ରଥମ ଦିନରେ କୋସଲି ଭାଷାକୁ ସାମ୍ବିଧାନିକ ସ୍ଵୀକୃତି ପ୍ରଦାନ କରିବାକୁ ଦାବୀ

ଟିଟିଲାଗଡ, (କେପିଏନ୍‌ଏସ୍‌) : କୋସଲି ଭାଷା ସୁରକ୍ଷା ସମିତି ଓ କୋସଲି ସାଂସ୍କୃତିକ ମହାଯୋଟର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଡିଏନରିସର୍ଟଠାରେ ଜାତୀୟ କୋସଲି ଭାଷା ସମ୍ମିଳନୀ ଗତକାଲିଠାରୁ ଆୟୋଜିତ ହୋଇଯାଇଛି । ପ୍ରଥମେ ମା’ ଘଣ୍ଟାଶୁଣି ମନ୍ଦିରରୁ ପ୍ରଥମେ ପୂଜାର୍ଚ୍ଚନା କରି ଏକ ଶୋଭାଯାତ୍ରାରେ ବାହାରି ସମ୍ମିଳନୀ ସ୍ଥାନକୁ ପହଞ୍ଚିଥିଲେ । ସକାଳ ୧୧ଟା ସମୟରେ ଏହି ସମ୍ମିଳନୀର ପ୍ରଥମ ଅଧିବେଶନ ଆରମ୍ଭ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଡ. ଶ୍ରୀନିବାସ ଉଦ୍‌ଗାତା ଯୋଗଦେଇ ସମ୍ମିଳନୀକୁ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଡ. ଛାୟାକାନ୍ତ ଷଡଙ୍ଗୀ, କୋସଲି ଭାଷା ସୁରକ୍ଷା ସମିତିର ସଭାପତି ଦିଲିପ କୁମାର ପଶାୟତ, କୋସଲି ସାଂସ୍କୃତିକ ମହାଯୋଟର ସଭାପତି ଟିକେଲାଲ ବେହେରା, ରାଜୀବ ଲୋଚନ ପାଢୀ ମଞ୍ଚାସୀନ ଥିବା ବେଳେ ସଭା ପରିଚାଳନା କରିଥିଲେ ଜ୍ୟୋତି ପ୍ରକାଶ ଗଡତ୍ୟା ।

ଦ୍ୱିପହର ୨ଟା ସମୟରେ ଭାରତୀୟ ଭାଷା ଅଧିକାର ଅଧିବେଶନ ଆରମ୍ଭ ହୋଇଥିଲା । ଏହା ପୂର୍ବରୁ ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ତା’ପରେ ଅଷ୍ଟମ ସୂଚୀରେ କୋସିଲି ଭାଷାକୁ ମାନ୍ୟତା ଦେବା ଦାବୀ କଲା କେନ୍ଦ୍ରୀୟ ଭାଷା ସଂଘର୍ଷ ସମିତି । ଏହି ଅଧିବେଶନରେ କୁନ୍ଦନ ଅମିତାଭ ବିହାର (ଅଙ୍ଗିକା ଭାଷା), ଯୋଗେଶ ରାଜ(ବାଡୋଗୋ), ସେନକିଲ ନାଥନ ତାମିଲ(ତାମିଲ ଭାଷା), ନନ୍ଦଲାଲ ସିଂ(ମୁଣ୍ଡାରୀ), ଦୀପକ ପାୱାର(ମହାରାଷ୍ଟ୍ରର ମରାଠୀ ଭାଷା), ସାକେତ ଶ୍ରୀଭୂଷଣ ସାହୁ, କୌସିକ ମେତେଇ(ବଙ୍ଗଳା), ଡ. ତିଲ କୁମାର(କୋସଲି), କୋସଲି ଭାଷାବିତ୍‌ ଡ. ଦଳଗୋବିନ୍ଦ ବିଶି ପ୍ରମୁଖ ଉପସ୍ଥିତ ରହି ଭାଷା ଅଧିକାର ବିଷୟରେ ଆଲୋକପାତ କରିବା ସହ କୋସଲି ଭାଷାକୁ ଅଷ୍ଟମ ସୂଚୀରେ ସାମିଲ କରିବା ଦାବୀ ନେଇ ସମର୍ଥନ ଜଣାଇଥିଲେ । ପରବର୍ତ୍ତା ଅଧିବେଶନରେ କୋସଲି ଭାଷା ସମ୍ପର୍କରେ ଆଲୋଚନା କରିଥିଲେ ଜିଲ୍ଲା ପ୍ରତିନିଧିମାନେ । ଏଥିରେ ଡ. ବିନୋଦ ବିହାରୀ ଜାଲ ସଭାପତିତ୍ୱ କରିଥିବା ବେଳେ ଆନନ୍ଦ ଚନ୍ଦ୍ର ସାହୁ, ଗୋରେଖନାଥ ସାହୁ, ବଳଦେବ ଦୀକ୍ଷିତ୍‌, ପଦ୍ମଲୋଚନ ମିଶ୍ର, ସୁରଜିତ ସିଂ ମହାରଥା ଓ ଲାଲଚନ୍ଦ ବଗର୍ତ୍ତୀ ଆଲୋଚନା କରିଥିଲେ । ନାରାୟଣ ମିଶ୍ର ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଧନ୍ୟବାଦ୍‌ ଅର୍ପଣ କରିଥିଲେ ପୁଲସ୍ତି ବେହେରା ।

ଏହି ଅବସରରେ କୋସଲ ରତ୍ନ ସମ୍ମାନରେ ପଦ୍ମଶ୍ରୀ ଡ. ଶ୍ରୀନିବାସ ଉଦ୍‌ଗାତା, ଡ. ଦୋଳଗୋବିନ୍ଦ ବିଶିଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଟିଟିଲାଗଡ଼ ସବ୍‌ ଡିଭିଜନ ଡୁମାଣି ପ୍ରତିନିଧି ସଞ୍ଜୟ କୁମାର ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave A Reply

Your email address will not be published.