ପବିତ୍ର ମହାଶିବରାତ୍ରି ଉପଲକ୍ଷେ ପସିଦ୍ଧ ଶିବ ମନ୍ଦିର ହରିଶଙ୍କରଠାରେ ଶହ ଶହ ଭକ୍ତଙ୍କ ସମାଗମ

ଖପ୍ରାଖୋଲ, (ଅଶୋକ ବାଗ) : ପଶ୍ଚିମ ଓଡିଶାର ପ୍ରସିଦ୍ଧ ଶୈବପୀଠ ହରିଶଙ୍କରଠାରେ ଆଜି ଶହଶହ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ଦିନ ଶିବ ଲିଙ୍ଗ ଭାବରେ ଆବିର୍ଭୂତ ହୋଇଥିବାରୁ ପ୍ରତିବର୍ଷ ଏହି ଦିନକୁ ମହାଶିବରାତ୍ରି ଭାବରେ ପାଳନ କରାଯାଏ । ବିଶେଷ କରି ସମଗ୍ର ଓଡ଼ିଶାର ଶୈବପୀଠ ଶ୍ରୀକ୍ଷେତ୍ରର ଶ୍ରୀ ଲୋକନାଥ, କପିଳାସ, ଗୁପ୍ତେଶ୍ୱର, ବେଦବ୍ୟାସ, ଭୁବନେଶ୍ୱର, ମହେନ୍ଦ୍ରଗିରି, ହରିଶଙ୍କର ଠାରେ ଏହି ଦିନ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏକତ୍ରିତ ହୋଇ ଆଜି ଦେବଦେବ ମହାଦେବଙ୍କ ଆରାଧନା କରିଥାନ୍ତି । ମହାଦେବଙ୍କ ଦ୍ୱାରା ଏହି ଦିନ ସଂସାର ପ୍ରକଟ ହୋଇଥିଲା ବୋଲି ଲୋକେ ବିଶ୍ୱାସ କରିଥାନ୍ତି । ପୁରାଣର ଅନ୍ୟ ଏକ ଆଖ୍ୟାନ ଅନୁସାରେ, ଦେବ ଓ ଅସୁରମାନଙ୍କ ଦ୍ୱାରା ସମୁଦ୍ର ମନ୍ଥନ ସମୟରେ ସେଥିରୁ ବାହାରିଥିବା ସମସ୍ତ ବିଷକୁ ଶିବ ପାନ କରି ଧରାକୁ ଏକ ଆସନ୍ନ ବିପଦରୁ ଉଦ୍ଧାର କରିଥିଲେ । ଏହି ବିଷକୁ ପାନ କରିବା ପରେ ବିଷର ଜ୍ୱାଳାରେ ସେ ମୂର୍ଚ୍ଛା ହୋଇଯାଇଥିଲେ । ତାଙ୍କର ସଂଜ୍ଞା ନ ଫେରିବା ପର୍ଯ୍ୟନ୍ତ ଦେବଗଣ ଓ ଶୈବବୃନ୍ଦ ଅଖଣ୍ଡ ପ୍ରଦୀପ ଜାଳି ଉଜାଗରରେ ବସିଥିଲେ । ସେହିଦିନକୁ ମନେପକାଇ ଶ୍ରଦ୍ଧାଳୁମାନେ ମହାଶିବରାତ୍ରି ପାଳନ କରିଥାନ୍ତି । ଶିବଙ୍କ ପୂଜା ଉପାସନା ଏହି ଦିନ ହିନ୍ଦୁ ନରନାରୀ ଶୁଦ୍ଧପୂତ ଭାବରେ ଉପବାସ ପୂର୍ବକ ଅଖଣ୍ଡ ଦୀପ ଜାଳି ରାତ୍ରି ଉଜାଗର ରହି ବ୍ରତ ପାଳୁଥିବାରୁ ଏହାକୁ ଜାଗର ଓଷା ବା ଜାଗରବ୍ରତ ମଧ୍ୟ କୁହାଯାଇଥାଏ । ଆତ୍ମ କଲ୍ୟାଣର ରାସ୍ତାକୁ ପରିସ୍କାର କରିବା ପାଇଁ ଅଖଣ୍ଡ ସଜାଗତା ଓ ଜ୍ଞାନର ଆଲୋକ ଏ ଦୁଇଟିର ଆବଶ୍ୟକତା ରହିଛି ବୋଲି ଏଇ ମହାନପର୍ବ ଶିକ୍ଷା ଦେଇଥାଏ । ମଝିରାତିକୁ ମନ୍ଦିରର ଶିଖରକୁ ବିଶାଳ ମହାଦୀପ ନିଆଯାଏ । ତାହାକୁ ଦର୍ଶନ କରି ଭକ୍ତମାନେ ବିହ୍ୱଳ ହୁଅନ୍ତି । ପରଦିନ ସ୍ନାନାଦି ସମାପନ କରି ଭକ୍ତମାନେ ସେମାନଙ୍କ ଉପବାସ ଭଙ୍ଗ କରିଥାନ୍ତି । ତେବେ ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ  ପୋଲିସ ଫୋର୍ସ ମୁତୟନ କରାଯାଇଥିବା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.