ଶ୍ରୀ ଶ୍ରୀ ଶିବକାଳୀ ଦଣ୍ଡନୃତ୍ୟ ରାଜ୍ୟର ବିଭିନ୍ନ ମଞ୍ଚରେ ପାଇଛି ଲୋକପ୍ରିୟତା

  • ଆଜି ଶତ ବାର୍ଷିକୀ ଉତ୍ସବରେ ହେବ ମଞ୍ଚସ୍ଥ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକରେ କାମନା ଦଣ୍ଡର ଶତ ବାର୍ଷିକୀ ଅବସରରେ ଆଜି ଆରମ୍ଭ ହୋଇଛି ଦୁଇ ଦିନିଆ ମହୋତ୍ସବ । ଏହି ଅବସରରେ ଆଜି ସାଂସ୍କୃତିକ କାର୍ଯ୍ୟକ୍ରମ ପର୍ଯ୍ୟାୟରେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକର ଆମ୍ବିଠିରେ ଶ୍ରୀ ଶ୍ରୀ ଶିବ କାଳୀ ଦଣ୍ଡନୃତ୍ୟ ପରିବେଷଣ କରାଯିବ । ଏହି ଦଣ୍ଡନୃତ୍ୟର ମୁଖ୍ୟ ପରିଚାଳକ ଗୁରୁ ବନମାଳୀ ସାହୁଙ୍କ ନେତୃତ୍ୱରେ ଏହି ନୃତ୍ୟ ଏଥି ପୂର୍ବରୁ ଓଡିଶାର କୋରାପୁଟ ଜିଲ୍ଲା ମହୋତ୍ସବ ପରବ, ବାଲିଯାତ୍ରା କଟକ, ଢେଙ୍କାନାଳ ମହୋତ୍ସବ ଭଳି ଅନେକ ଜିଲ୍ଲାସ୍ତରୀୟ ଉତ୍ସବରେ ଅତି ସୁନ୍ଦର ଭାବରେ ନିଜର କାର୍ଯ୍ୟକ୍ରମ ପରିବେଷଣ କରି ସାରିଛନ୍ତି । ଏହି କାମନା ଦଣ୍ଡରେ ଦଣ୍ଡ ଭଙ୍ଗା, ପରଭା ନାଚ, ହାଡି ହାଡ଼ିଆଣି, ହର ପାର୍ବତୀ, ସଖି ନାବିକ, ଶବର ଶବରୁଣୀ, କେଳା କେଲୁଣି, କାଉ ଖିଆ, ଯୋଗୀ ଯୋଗୀଆଣି, ବାଇଧନ, ପଟର ସଉରା, ସୌରୁଣୀ, ବୀଣାକାର କାରୁଆଣି ଆଦି ଚରିତ୍ର ମଞ୍ଚସ୍ଥ ହେବ ବୋଲି ପ୍ରସିଦ୍ଧ ଗୁରୁ ବନମାଳୀ ସାହୁ ସୂଚନା ଦେଇଛନ୍ତି । ଗୁରୁଙ୍କ ଏହି ଦଳ ରାଜ୍ୟରେ ନିଜର ପ୍ରତିଭା ପାଇଁ ପୂର୍ବରୁ ଅନେକ ସମ୍ମାନରେ ସମ୍ମାନିତ ହୋଇ ସାରିଛନ୍ତି । ଏହି କାମନା ଦଣ୍ଡର ମୁଖ୍ୟ କଳାକାର ହେଲେ ସୁଶାନ୍ତ ସାହୁ, ଦେବରାଜ ଭୋଇ, ଅନୟ ସାହୁ, ରାଜନ ଜେନା, ପହଲି ସେଠି, ବିଶଲ୍ୟ ରାଉତ, ଭଜମନ ବେହେରା, ବାଦ୍ୟଯନ୍ତ୍ରରେ ସହଦେବ ଗୋଚ୍ଛାୟତ, କୁନୁ ଗୋଚ୍ଛାୟତ, କେଶିଓରେ ତୀର୍ଥ ବେହେରା ଦାୟିତ୍ଵ ବହନ କରିଛନ୍ତି । ଆଜି ଏହି ଦଣ୍ଡନୃତ୍ୟ ରାତି ଆଠ ଘଣ୍ଟା ସମୟରେ ଉଦ୍‌ଘାଟନୀ ଉତ୍ସବ ପରେ ମଞ୍ଚସ୍ଥ ହେବ ବୋଲି ପରିଷଦର ସଭାପତି ରୁଦ୍ର ପ୍ରତାପ ସିଂହ ଓ ସମ୍ପାଦକ ପ୍ରକାଶ ସାହୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.