ଦୀପକ ଫର୍ଟିଲାଇଜର ପ୍ଲାଣ୍ଟ ବସାଇବାକୁ ବିରୋଧ କରି କାଳୀପଲ୍ଲୀ ଗ୍ରାମବାସୀଙ୍କ ସହ ପୋଲିସର ଧସ୍ତାଧସ୍ତି

  • ପୋଲିସର ଲାଠିପାହାର ଘେନି କାଳୀପଲ୍ଲୀ ଗ୍ରାମ ଉତ୍ତେଜନା ପ୍ରବଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିନା ସରକାରୀ ବିଜ୍ଞପ୍ତି ସୂଚନାରେ ପାଚେରୀ ନିର୍ମାଣ କାର୍ଯ୍ୟକୁ ବିରୋଧ କଲେ ଗାଁ ଲୋକ । ପାଚେରୀ ବସାଇବାକୁ ନେଇ ପୋଲିସ ସହ ଗ୍ରାମବାସୀ ଧସ୍ତାଧସ୍ତି ହୋଇଥିଲେ । ପୋଲିସ ପକ୍ଷରୁ ଲାଠି ଚାଳନା ସହ ୨୫ରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷଙ୍କୁ ପୋଲିସ ଉଠାଇ ନେଇଥିବା ଜଣାପଡିଛି । ଏବେ ଏହି ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କାଳୀପଲ୍ଲୀ ଅଂଚଳରେ ଡ଼ି-ନୋଟିଫିକେସନକୁ ସଠିକ ଭାବେ ସର୍ଭେ ନକରିବା ସହ ପଟ୍ଟା ପ୍ରଦାନ ନ କରି ବିନା ସୂଚନାରେ ବେଆଇନ ଭାବେ ପୋଲିସ ଫୋର୍ସ ମୁତୟନ କରି ଟାଟା ପକ୍ଷରୁ ମଙ୍ଗଳବାର ଠାରୁ ପାଚେରୀ ନିର୍ମାଣ କାର୍ଯ୍ୟ ଚାଲିଛି । ଏହାକୁ ବିରୋଧ କରି ଚାଲିଥିବା ପାଚେରୀ କାମ ବନ୍ଦ କରିବା ଦାବୀ ନେଇ କାଲିପଲ୍ଲୀ ଗ୍ରାମବାସୀମାନେ ବୁଧବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି । ପ୍ରକଳ୍ପ ନିକଟରେ ପୋଲିସ ଫୋର୍ସ ମୁତୟନ କରିଥିବା ବ୍ୟାରିକେଟ ଅଂଚଳକୁ ଧସେଇ ପସିବା ବେଳେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଗାଁ ଲୋକ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହେବା ସହ ପୋଲିସ ପକ୍ଷରୁ ଲାଠି ଚାଳନା କରିଥିଲେ । ଏହା ସହିତ ଗ୍ରାମର ୨୫ରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷଙ୍କୁ ପୋଲିସ ଉଠାଇନେଇଛି । ଏନେଇ ଘଟଣା ସ୍ଥଳରେ ଉତ୍ତେଜନା ଲାଗି ରହିଥିବା ଜଣାପଡିଛି । ଘଟଣାସ୍ଥଳରେ ସୁରକ୍ଷାକୁ ଦୃଷ୍ଟିରେ ରଖି ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର, ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ, ପୁରୁଷୋତ୍ତମପୁର ତହସିଲଦାର, ଗଞ୍ଜାମ ବିଡ଼ିଓ ଯସ୍ମୀନ ପ୍ରଧାନ ମାଜିଷ୍ଟ୍ରେଟ ଦାୟିତ୍ୱରେ ରହିଥିବା ବେଳେ ଗଞ୍ଜାମ ପୋଲିସ ଜିଲ୍ଲାର ୨ ଜଣ ଅତିରିକ୍ତ ଏସ୍‌ପି, ୬ ଜଣ ଡ଼ିଏସ୍‌ପି, ୧୮ ଜଣ ଇନିସପେକ୍ଟର, ୨୧ ପ୍ଲାଟୁନ ପୋଲିସ ମୁତୟନ ରହିଥିଲେ । ସେପଟେ ଗ୍ରାମର ମହିଳା ଓ ପୁରୁଷମାନେ ଘଟଣାସ୍ଥଳରେ ଆନ୍ଦୋଳନରେ ବସିରହିଥିଲେ । ଅନ୍ୟପଟେ ଦୀପକ କମ୍ପାନୀ ନାମକ କୌଣସି ସାର କାରଖାନା ନିମନ୍ତେ କାର୍ଯ୍ୟ ଚାଲୁନାହିଁ, ଟାଟା ପକ୍ଷରୁ ପୋଲିସ ଫୋର୍ସ ମୁତୟନ ରହି ପାଚେରୀ ନିର୍ମାଣ କାର୍ଯ୍ୟ ଚାଲୁରହିଛି, ଏ ଭିତରେ କାଳୀପଲ୍ଲୀ ଗ୍ରାମବାସୀ ପୋଲିସ ବେରିକେଟ ଭାଙ୍ଗି ପୋଲିସକୁ ଠେଲା ପେଲା କରିବା ସହିତ ଆଇନକୁ ସେମାନେ ହାତକୁ ନେଇଛନ୍ତି ବୋଲି ଅତିରିକ୍ତ ଏସ୍‌ପି ପି. କେ ଦଳାଇ ଗଣମାଧ୍ୟମକୁ କହିଛନ୍ତି । ଏହା ସହିତ ଗ୍ରାମବାସୀଙ୍କୁ ମଧ୍ୟ ବୁଝା ସୁଝା ଚାଲିଛି ବୋଲି କହିଥିଲେ । ଗ୍ରାମର ୨୦ ଜଣ ପ୍ରତିନିଧି ଛତ୍ରପୁରକୁ ଆସି ଗଞ୍ଜାମ ଏସ୍‌ପିଙ୍କ ସହ ଆଲୋଚନା କରିଥିଲେ ।

Leave A Reply

Your email address will not be published.