• ଶେଷ ସନ୍ଧ୍ୟାରେ ସମ୍ବଲପୁରୀ, ଓଡ଼ିଶୀ, ରଙ୍ଗାରଙ୍ଗ କାର୍ଯ୍ୟକ୍ରମ, ବଲିଉଡ଼୍ କଣ୍ଠଶିଳ୍ପୀଙ୍କ ସଙ୍ଗୀତରେ ଦର୍ଶକ ମଜ୍ଜିଗଲେ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶେଷ ହୋଇଯାଇଛି ଗୋପାଳପୁର ବେଳାଭୂମି ମହୋତ୍ସବ-୨୦୨୨ । ଅଗଣିତ ଜନତାଙ୍କ ଖୁସି ଲହରୀ ବିସର୍ଜନ ହୋଇଯାଇଛି ସେହି ମହାସମୁଦ୍ର ବଙ୍ଗୋପସାଗରରେ । ସମସ୍ତେ ଶେଷ ରାତ୍ରିରେ ନିଜେ ନିଜକୁ ସ୍ନେହ, ମମତାର ଜଳାଞ୍ଜଳି ଦେଇଛନ୍ତି । ଅଦ୍ଭୁତମୟ ମନୋରଞ୍ଜନ, ଆନନ୍ଦ ଉଲ୍ଲାସକୁ ଛାଡ଼ି ଆସିବାକୁ ପଡ଼ିଲା । ବେଳାଭୂମି ମହୋତ୍ସବ ସ୍ଥଳକୁ ଯିବା ବେଳେ ଅନେକ ଯାତନା, ବେଦନା ମଧ୍ୟ ସମ୍ମୁଖୀନ ହେବାକୁ ପଡ଼ିଥିଲା । ତା’ରି ମଧ୍ୟରେ ବିନୋଦନ ହାସଲ କରିବାକୁ ସମସ୍ତେ ବ୍ୟଗ୍ର ହୋଇ ଦର୍ଶକ ଏହି ୫ ଦିନ ଗୋପାଳପୁର ବେଳାଭୂମିକୁ ଛୁଟି ଆସିଥିଲେ । ପଲ୍ଲୀଶ୍ରୀ ମେଳା, ମୀନା ବଜାରରେ ଗହଳ ଚହଳ ସହ ମୁକ୍ତ ଆକାଶରେ ଗୋପାଳପୁର ବେଳାଭୂମି ମହୋତ୍ସବର ୫ମ ସନ୍ଧ୍ୟାରେ ମହାମଞ୍ଚ ଦୁଲକି ଉଠିଥିଲା । ଲୋକସଂସ୍କୃତି, ଲୋକନୃତ୍ୟ ଏବଂ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ସୁପରଷ୍ଟାର ବଲିଉଡ୍ ସଙ୍ଗୀତଜ୍ଞ ଜାଭେଦ ଅଲ୍ଲୀଙ୍କ ଗୀତ ଶୁଣି ଦର୍ଶକ ବିମୋହିତ ହୋଇଯାଇଥିଲେ । ମୋଟାମୋଟି ଭାବେ ଏହି ପାଞ୍ଚ ଦିନିଆ ଗୋପାଳପୁର ବେଳାଭୂମି ମହୋତ୍ସବ ସୁରୁଖୁରୁରେ ସମ୍ପନ୍ନ ହୋଇଯାଇଛି । ଚଳିତ ବର୍ଷର ମହୋତ୍ସବର ୫ମ ସନ୍ଧ୍ୟାରେ ଅନେକ ଆଶା ଉଦ୍ଦୀପନାରେ ଭରିଦେଇଥିଲା । ଏହି ଶେଷ ସନ୍ଧ୍ୟାରେ ୧ ଲକ୍ଷ ୨୦ ହଜାର ଦର୍ଶକଙ୍କ ସାମାଗମ ହୋଇଥିବା ବେସରକାରୀ ଭାବେ ଆକଳନ କରାଯାଇଛି ।