ଦୃଷ୍ଟିବାଧିତ ମହିଳା କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କେଟି ଗ୍ଲୋବାଲ ସ୍କୁଲ ପଡ଼ିଆ ଠାରେ କାଭି ଓଡ଼ିଶା ଓ କେଟି ଗ୍ଲୋବାଲ ସ୍କୁଲର ମିଳିତ ଆନୁକୂଲ୍ୟରେ ଏବଂ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ସହଯୋଗରେ ଦୁଇଦିନିଆ ରାଜ୍ୟ ଦୃଷ୍ଟିବାଧିତ ମହିଳା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଛି । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟକୁ ପରାସ୍ତ କରି ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ବାଲେଶ୍ୱର ।

ବାଲେଶ୍ୱର ଦଳ ପ୍ରଥମ ସେମିଫାଇନାଲରେ ଲୁଇସ୍‌ ବ୍ରେଲ୍‌କୁ ଏବଂ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଦ୍ୱିତୀୟ ସେମିଫାଇନାଲରେ ଭଦ୍ରକକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟକୁ ୧୧ ରନ୍‌ରେ ପରାସ୍ତ କରି ବାଲେଶ୍ୱର ଚାମ୍ପିୟନ୍‌ ହୋଇଥିଲା । ବାଲେଶ୍ୱର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ କୌଣସି ଉଇକେଟ ନ ହରାଇ ୭୦ ରନ୍‌ କରିଥିଲା । ଫୁଲ ସୋରେନ୍‌ ୪୧ ଏବଂ ପାର୍ବତୀ ମାର୍ଡି ୨୩ ରନ୍‌ କରିଥିଲେ । ଜବାବରେ ରମାଦେବୀ ୧୦ ଓଭରରେ ୨ଟି ଉଇକେଟ ହରାଇ ୫୯ ରନ୍‌ କରିବାକୁ ସକ୍ଷମ ହୋଇଥିଲା ।

ରମାଦେବୀ ପକ୍ଷରୁ ଯମୁନାରାଣୀ ଟୁଡୁ ୨୨, ବାସନ୍ତୀ ହାଁସଦା ୧୭ ରନ୍‌ କରିଥିଲେ । ବାଲେଶ୍ୱରର ଫୁଲ ସୋରେନ୍‌ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ହୋଇଥିଲେ । ଏହି ଟୁର୍ନାମେଣ୍ଟରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ବି୧ ବର୍ଗରେ ଯମୁନାରାଣୀ ଟୁଡୁ, ବି୨ ବର୍ଗରେ ବାସନ୍ତି ହାଁସଦା ଏବଂ ବି୩ ବର୍ଗରେ ଫୁଲ ସୋରେନ୍‌ଙ୍କୁ ଟୁର୍ନାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା ।

ଉଦ୍‌ଯାପନୀ ଉତ୍ସବରେ କେଟି ଗ୍ଲୋବାଲ ସ୍କୁଲ୍‌ର ଟ୍ରଷ୍ଟି ସୋମଦତ୍ତ ବେହୁରା, ଏମ୍‌ଓଏସ୍‌ଏଫ୍‌ର ସମ୍ପାଦକ ଚିନ୍ମୟ ପ୍ରଧାନ, କେଟି ଗ୍ଲୋବାଲ ସ୍କୁଲ୍‌ର ସମ୍ପାଦକ ପୂର୍ଣ୍ଣାଶିଷ ରଥ, ଆଇଆଇଜି ସ୍ପୋର୍ଟସ୍‌ ଏକାଡେମୀର ସମ୍ପାଦକ ପ୍ରଶାନ୍ତ ପୁହାଣ, ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜିକା ପୁଷ୍ପମିତ୍ରା ମିଶ୍ର, ଏୱାଇଜେଏନ୍‌ଆଇଏସ୍‌ଏଚ୍‌ଡିର ସାଙ୍କେତିକ ଭାଷା ଅଧ୍ୟାପିକା ବିଶ୍ୱାମିତ୍ର ମିଶ୍ର, ସିଡବ୍ଲୁଡିଏସ୍‌ର ଅଧ୍ୟକ୍ଷା ଡକ୍ଟର ମେଜର କଳ୍ପନା ଦାସ, ଉତ୍କଳ ଦୃଷ୍ଟିହୀନ ସଂଘର ସଭାପତି ସନ୍ନ୍ୟାସୀ କୁମାର ବେହେରା ଏବଂ ଓଡ଼ିଶା ଦୃଷ୍ଟିହୀନ କ୍ରିକେଟ୍‌ ସଂଘ ସଭାପତି ତଥା ଆନ୍ତର୍ଜାତିକ କ୍ରିକେଟ୍‌ ତାରକା ମହମ୍ମଦ ଜାଫର ଇକ୍‌ବାଲ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ ।

Leave A Reply

Your email address will not be published.