ବୌଦ୍ଧ, (ବଂଶୀଧର ମାଝୀ) : କରୋନା ଯୋଗୁଁ ବନ୍ଦ ହୋଇଥିବା ଧନୁଯାତ୍ରା ଦୀର୍ଘ ଦୁଇ ବର୍ଷ ପରେ ପୁଣି ବୌଦ୍ଧରେ ଆରମ୍ଭ ହୋଇଛି । ବୌଦ୍ଧ ଭୈରବୀ ପଡିଆ ଠାରେ ସହରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମଦନ ମୋହନ ନାଟ୍ୟ କଳାପରିଷଦ ପକ୍ଷରୁ ଶନିବାର ଉଦ୍ଘାଟିତ ହୋଇଛି ଧନୁଯାତ୍ରା । ମୁଖ୍ୟ ଅତିଥି ଭାବେ ବୌଦ୍ଧ ଏନଏଏସି ଅଧକ୍ଷ ମୃତ୍ୟୁଞ୍ଜୟ ମିଶ୍ର ଯୋଗଦେଇ ଯାତ୍ରାକୁ ଉଦଘାଟନ କରିଥିଲେ । ଉଦଘାଟନ ଦିବସରେ ନାଟ୍ୟ କଳାପରିଷଦ ପକ୍ଷରୁ ସକାଳେ ମହାନଦୀରୁ ଏକ କଳସ ଶୋଭଯାତ୍ରା ମଦନ ମୋହନ ଜୀଉଙ୍କ ମନ୍ଦିରକୁ ଆସିବା ପରେ ମନ୍ଦିରେ ପୂଜାର୍ଚ୍ଚନା କରାଯାଇଥିଲା । ନାଟ୍ୟୋତ୍ସବର ପ୍ରଥମ ଦିନରେ ପରିବେଷଣ ହୋଇଥିଲା ନାଟକ ଧର୍ମ ସଂସ୍ଥାପନାର୍ଥାୟେ । ଏହି ନାଟକରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ସ୍ୱର୍ଗାରୋହଣ ଏବଂ ଦ୍ୱାପରେ କୃଷ୍ଣ ଅବତାର ପାଇଁ ପରିକଳ୍ପନା କରିବା ସଙ୍ଗେ ସଙ୍ଗେ କଂସର ଜନ୍ମ ଏବଂ ଦେବକୀ ଓ ବସୁଦେବଙ୍କ ବିବାହ ପରେ ଶୁନ୍ୟବାଣୀ ହେଲା । ଦେବକୀର ଅଷ୍ଟମ ଗର୍ଭର ସନ୍ତାନ ତୋର ବଧ କରିବ, ଶୁନ୍ୟବାଣୀ ଶୁଣି କଂସ ଉତକ୍ଷିପ୍ତ ହୋଇ ଦେବକୀ ଓ ବସୁଦେବକୁ କାରାବାସ ଦେଇଥିଲା । ଚିତ୍ରସେନକ ଓ ଇନ୍ଦୁମତିଙ୍କୁ ମଧ୍ୟ ବନ୍ଦୀ କରି ନିଜେ ମଥୁରାର ରାଜା ହୋଇ ତ୍ରିପୁର ବିଜୟ କରିବା ପାଇଁ ଯାତ୍ରା ଆରମ୍ଭ କରିଥିଲା । ଏହା ସହ ପଦ୍ମାବତୀ ସହ କଂସର ବିବାହ ହେବା ସହ ଜରାସନ୍ଧକୁ ବଧ ଆଦି ନାଟକ ପରିବେଷଣ ହୋଇଥିଲା । ଦୀର୍ଘ ୮ ଦିନ ଧରି ହେବାକୁ ଥିବା ଏହି ନାଟ୍ୟତ୍ସୋବରେ ବୌଦ୍ଧ ଜିଲ୍ଲାର ଜଣାଶୁଣା ବରିଷ୍ଠ ନାଟ୍ୟକାର ହୃଦାନନ୍ଦ ମେହେରଙ୍କ ରଚିତ ଓ ଦେବାଙ୍ଗନ ମେହେରଙ୍କ ନିର୍ଦ୍ଦେଶନାରେ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ବା ପୌରାଣିକ କଥାବସ୍ତୁକୁ ଯାତ୍ରା ନାଟକ ଶୈଳୀରେ ପ୍ରତିଦିନ ପରିବେଷଣ ହେଉଛି । ଏହି ଯାତ୍ରା ସମୟରେ ସହରବାସୀଙ୍କୁ ନାଟକର ଭାବଧାରାରେ ବାନ୍ଧି ରଖିବା ପାଇଁ ସହରର ବିଭିନ୍ନ ଛକ ଜାଗା ମାନଙ୍କରେ ପଥପ୍ରାନ୍ତ ନାଟକ ଆୟୋଜନର ବ୍ୟବସ୍ଥା କରାଯାଇଛି । ନାଟ୍ୟୋତ୍ସବର ସଭାପତି ଆଦିତ୍ୟ ପୂଜାହାରୀ ଓ ସଂପାଦକ ପଙ୍କଜ ମେହେର ତତ୍ତ୍ୱାବଧାନରେ ଏହି ଯାତ୍ରା ପରିଚାଳନା ହେଉଅଛି। ନାଟକର ବିଭିନ୍ନ ଚରିତ୍ରରେ ନାଟ୍ୟୋତ୍ସବର ସମସ୍ତ ସଦସ୍ୟ ମାନଙ୍କ ଦ୍ୱାରା ପରିବେଷିତ ହେଉଅଛି । ଏହା ସହ ଯାତ୍ରାକୁ ଅଧିକ ସରସ ସୁନ୍ଦର କରିବାକୁ ମିନାବଜାରର ଆୟୋଜନ କରାଯାଇଛି । ନାଟକ ଦେଖିବା ପାଇ ଲୋକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି ।