pakka

ଉଷା ଆପ୍‌ରେ ବସ୍ତି ବାସିନ୍ଦାଙ୍କ ତଥ୍ୟ ସଂଗ୍ରହ

bbehera

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ଅଧୀନରେ ବସବାସ କରୁଥିବା ବସ୍ତି ବାସିନ୍ଦାଙ୍କୁ ଜାଗା ମିଶନ ଯୋଜନାରେ ପଟ୍ଟା ପ୍ରଦାନ କରାଯିବ । ଏ ନେଇ ବିଏମସି ପକ୍ଷରୁ ଗତ ୧୦ ତାରିଖରେ ଡ୍ରୋନ ସର୍ଭେ ଆରମ୍ଭ ହୋଇଥିଲା । ଏବେ ସୁଦ୍ଧା ଡ୍ରୋନ ମାଧ୍ୟମରେ ସହରର ୧୬୮ଟି ବସ୍ତିରେ ସର୍ଭେ କାର୍ଯ୍ୟ ସରିଥିବା ବେଳେ ୧୭, ୮୬୮ ପରିବାରଙ୍କୁ ଚିହ୍ନଟ କରାଯାଇଛି । ଏହି ପରିବାରଗୁଡିକ ମଧ୍ୟରୁ ପଟ୍ଟା ପ୍ରଦାନ ନିମନ୍ତେ ବର୍ତ୍ତମାନ ବିଏମସି ତଥ୍ୟ ସଂଗ୍ରହକାରୀ ଟିମ୍‌ ଦ୍ୱାରା ଯୋଗ୍ୟ ହିତାଧିକାରୀଙ୍କ ତଥ୍ୟ ସଂଗ୍ରହ କରାଯିବ । ଏ ନେଇ ସୋମବାର ବିଏମସି ନୂତନ ସମ୍ମିଳନୀ କକ୍ଷରେ ତଥ୍ୟ ସଂଗ୍ରହକାରୀମାନେ ବସ୍ତି ବାସିନ୍ଦାଙ୍କ କିଭଳି ତଥ୍ୟ ସଂଗ୍ରହ କରିବେ ସେ ନେଇ ପ୍ରଶିକ୍ଷଣ ଦିଆଯାଇଥିଲା । ହାଇଦ୍ରାବାଦର ଗାୟତ୍ରୀ ରୁରାଲ ଏଜୁକେସନ ସୋସାଇଟି ନାମକ ଏକ ସଂସ୍ଥାକୁ ଦାୟିତ୍ୱ ଦିଆାଯାଇଛି । ଏହି ସଂସ୍ଥା ଅଧୀନରେ ୪୨ ଜଣ ତଥ୍ୟ ସଂଗ୍ରହକାରୀ ବସ୍ତି ବାସିନ୍ଦାଙ୍କ ତଥ୍ୟ ସଂଗ୍ରହ କରିବେ । ତଥ୍ୟ ସଂଗ୍ରହକାରୀମାନେ ଉଷା (ଅର୍ବାନ ସ୍ଲମ ହାଉସ ହୋଲଡ ଏରିଆ ସର୍ଭେ) ମୋବାଇଲ ଆପ ମାଧ୍ୟମରେ ବସ୍ତି ବାସିନ୍ଦାଙ୍କ ତଥ୍ୟ ସଂଗ୍ରହ କରିବେ । ଆପ ମାଧ୍ୟମରେ କିଭଳି ତଥ୍ୟ ସଂଗ୍ରହ କରାଯିବ ସେ ସମ୍ବନ୍ଧରେ ଶିବିରରେ ସୂଚନା ପ୍ରଦାନ କରାଯାଇଥିଲା । ତଥ୍ୟ ସଂଗ୍ରହ ସମୟରେ ବସ୍ତି ବାସିନ୍ଦାଙ୍କ ସହ ଯୁକ୍ତି ନ କରି ସେହି ସ୍ଥାନରେ ରହୁଥିବା ଲୋକଙ୍କ ତଥ୍ୟ ସଂଗ୍ରହ କରିବେ । ଜାଗା ମାଲିକ ଭଡା ଦେଇ ଅନ୍ୟତ୍ର ରହୁଥିଲେ, ତାଙ୍କ ତଥ୍ୟ ସଂଗ୍ରହ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

ଏହି ଆପରେ ତଥ୍ୟ ସଂଗ୍ରହକାରୀମାନେ ନିଜର ଆଇଡି ଓ ପାସୱାର୍ଡ ମାଧ୍ୟମରେ ଲଗଇନ୍‌ କରି ତଥ୍ୟ ସଂଗ୍ରହ କରିବେ । ଆପ ମାଧ୍ୟମରେ ତଥ୍ୟ ସଂଗ୍ରହ ଦ୍ୱାରା ବହୁ ଯୋଗ୍ୟ ହିତାଧିକାରୀ ପଟ୍ଟା ପାଇପାରିବେ ବୋଲି ବିଏମସି ପକ୍ଷରୁ ସୂଚନା ମିଳିଛି । ସୂଚନାଯୋଗ୍ୟ, ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏବେ ସୁଦ୍ଧା ୨୦ଟି ବସ୍ତି ଚିହ୍ନଟ କରାଯାଇ ରାଜୀବ ଆବାସ ଯୋଜନାରେ ହିତାଧିକାରୀଙ୍କୁ ଘର ପ୍ରଦାନ କରାଯାଇଛି । ଏଥିସହ ୧୦ଟି ବସ୍ତି ଭଙ୍ଗାଯାଇଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ ନାଗେଶ୍ୱର ସୁବୁଦ୍ଧି ସୂଚନା ଦେଇଥିଲେ । ଶିବିରରେ ବିଏମସି କମିଶନର ଜେ.ସୋନାଲ, ଅତିରିକ୍ତ କମିଶନର ନୀଳମାଧବ ଭୋଇ, ଡେପୁଟି କମିଶନର ବିନୋଦ ବେହେରା, ଜାଗା ମିଶନର ରେଭୁନ୍ୟୁ କନସଲଣ୍ଟାଣ୍ଟ୍‌ ଆଲୋକ ରଞ୍ଜନ ସାମନ୍ତରାୟ, ସୁଚିସାନ୍ତ ସାହୁ, ନିକିତା ମିଶ୍ର, ସ୍ପାର୍କ ସଂସ୍ଥା ଏମଡି ଶୁଭଦର୍ଶିନୀ ମିଶ୍ର, ଟାଟା ମେମୋରିଆଲ ଟ୍ରଷ୍ଟର ଟିମ୍‌ ମୁଖ୍ୟ ଶିଶିର ରଞ୍ଜନ ଦାଶ, ଗ୍ରେସର ପ୍ରୋଜେକ୍ଟ ମ୍ୟାନେଜର ସନ୍ତୋଷ କୁମାରଙ୍କ ସମେତ ନୋଡାଲ ସିଇଓ ଗୀତାଞ୍ଜଳି ସାମନ୍ତରାୟ ଓ ସ୍ମିତା ଦାଶ ଯୋଗ ଦେଇଥିଲେ ।

Leave A Reply

Your email address will not be published.

12 + sixteen =