
- ଖବର ପାଇବା ପରେ ଦୁଃଖୀର ଦୁଃଖ ଲାଘବ ପାଇଁ ଅଣ୍ଟା ଭିଡ଼ିଲେ ଉପଜିଲ୍ଲାପାଳ
ପାଟଣାଗଡ଼, (କେପିଏନ୍ଏସ୍) : ଟଙ୍କପାଣି ଗାଁର ଅସହାୟ ଦିବ୍ୟାଙ୍ଗ ମା’ ଓ ପୁଅ ସରକାରୀ ସହାୟତାରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି । ଖବର ପାଇବା ପରେ ଦୁଃଖୀର ଦୁଃଖ ଲାଘବ ପାଇଁ ଅଣ୍ଟା ଭିଡ଼ିଛନ୍ତି ଉପଜିଲ୍ଲାପାଳ । ସୂଚନା ଅନୁସାରେ, ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକର ଉପାନ୍ତ ବଲାଙ୍ଗିର ଜିଲ୍ଲାର ଶେଷ ସୀମା ଟଙ୍କପାଣି ଗାଁ, ଯେଉଁ ଗାଁରେ ରୁହନ୍ତି ଚିନାମାଳି ବେମାଲ ଓ ତାଙ୍କ ପୁଅ ପପୁ । ଚିନାମାଳି ବେମାଲଙ୍କ ସ୍ୱାମୀ ମୁରଲୀଙ୍କ ସ୍ୱର୍ଗବାସ ପରେ ୧୩ ବର୍ଷର ପୁଅ ପପୁ ସହିତ ରହୁଛନ୍ତି । ତାଙ୍କ ପୁଅ ପପୁ ମଧ୍ୟ ଦିବ୍ୟାଙ୍ଗ ହୋଇଥିବାରୁ ରୋଜଗାର କରିବା ପାଇଁ କେହି ନଥିବାରୁ କେବଳ ସରକାରୀ ଯୋଜନାରେ ପାଉଥିବା ଚାଉଳ ହିଁ ତାଙ୍କର ଶେଷ ଭରସା । ସେହି ଚାଉଳରେ ଓଳିଏ ଖାଇଲେ ଓଳିଏ ଉପାସରେ ପଡି ରହିଛନ୍ତି ମା’ ପୁଅ । ସେହିପରି ସେହି ଟଙ୍କପାଣି ଗାଁର ଦୁଲଣା ହଂସ ଜଣେ ମାନସିକ ରୋଗୀ । ସ୍ତ୍ରୀର ଚିକିତ୍ସା ପାଇଁ ଟଙ୍କାର ଆବଶ୍ୟକ ଥିବାରୁ ସ୍ୱାମୀ ରୂପାଧର ହଂସ ଯାଇଛନ୍ତି ଦାଦନ ଖଟି । ଆଶା ସେଠାରୁ କିଛି ଟଙ୍କା ଉପାର୍ଜନ କରି ଆଣିଲେ ସ୍ତ୍ରୀର ଚିକିତ୍ସା କରିବେ । ବର୍ତ୍ତମାନ ନିଜର ଅଧାଗଢା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘରେ ନିଜ ୧୪ ବର୍ଷର ପୁଅ ପବିତ୍ର ସହିତ ପଡିରହିଛନ୍ତି ମାନସିକ ରୋଗୀ ଦୁଲଣା ହଂସ । ତାଙ୍କ ପୁଅ ପବିତ୍ର ବି ଅଷ୍ଟମ ଶ୍ରେଣୀ ପାଠ ପଢି ସାରିବା ପରେ ଆଉ ସ୍କୁଲ ନଯାଇ ମା’ର ସେବାରେ ଲାଗିଯାଇଛନ୍ତି । ସେହି ଟଙ୍କପାଣି ଗାଁର କିଛି ସହୃଦୟ ବ୍ୟକ୍ତି ସେମାନଙ୍କୁ ବିଭିନ୍ନ ସମୟରେ ବିଭିନ୍ନ ସହାୟତା କରି ଆସିଛନ୍ତି । ଏପରିକି ବ୍ଲକ ପ୍ରଶାସନକୁ ମଧ୍ୟ ଜଣାଇଛନ୍ତି । ହେଲେ କିଛି ସୁଫଳ ମିଳିନାହିଁ ବୋଲି ଅଭିଯୋଗ କରିଛନ୍ତି । ଖବର ପାଇବା ପରେ ଉପଜିଲ୍ଲାପାଳ ଡ଼. ବିଜୟାନନ୍ଦ ସେଠି ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱ ସହକାରେ ନେଇ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।