centurian jitm

ସେକ୍ଟର ୬ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିର୍ସା ମୁଣ୍ଡା ଓ ଚାଚା ନେହେରୁ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ଓ ସେକ୍ଟର ୬ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ବିର୍ସା ମୁଣ୍ଡା ଓ ଚାଚା ନେହେରୁଙ୍କ ଜୟନ୍ତୀ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁସ୍ମିତା ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି ଓ ମଂଚର ସାଧାରଣ ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ଉଭୟ ମହା ମନିଷୀଙ୍କ ଜୀବନୀ ଓ ବଳିଦାନ ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ରାଉତ ତାଙ୍କ ବକ୍ତବ୍ୟରେ କହିଲେ ଯେ ସ୍ୱାଧୀନତା ସଂଗ୍ରାମର ଉଜ୍ୱଳ ପୁରୋଧା, ମୁଣ୍ଡା ବିଦ୍ରୋହର ମଙ୍ଗୁଆଳ ତଥା ବ୍ରିଟିଶ ସରକାରଙ୍କୁ ବ୍ୟତିବ୍ୟସ୍ତ କରାଇ ଦେଇଥିବା ୨୫ ବର୍ଷର ବୀର ବିସ୍ମୟ ବିର୍ସା ମୁଣ୍ଡା ଓ ଶାନ୍ତିକାମୀ ରାଜନୀତିଜ୍ଞ ତଥା ଶିଶୁ ମାନଙ୍କୁ ଭଲ ପାଉଥିବା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ତାଙ୍କର ବଳିଦାନ ପାଇଁ ଆମର ଚିରନମସ୍ୟ ହୋଇ ରହିଛନ୍ତି । ମୁଖ୍ୟବକ୍ତା ଶ୍ରୀ ମହାପାତ୍ର ଉଭୟ ମହାମନିଷୀଙ୍କ ଗୁଣ ଓ କୀର୍ତ୍ତି ବର୍ଣ୍ଣନା କରି ଛାତ୍ର ଛାତ୍ରୀଙ୍କୁ ବହୁ ଉଦାହରଣ ମାଧ୍ୟମରେ ନୀତିଶିକ୍ଷା ପ୍ରଦାନ କରିଥିଲେ । ତାଙ୍କ ବକ୍ତବ୍ୟରେ ମା, ମାଟି ଓ ମାତୃଭାଷା ସଂପର୍କରେ ଅନେକ ଉପାଦେୟ ତଥ୍ୟ ସହ ବୀର ବିର୍ସା ମୁଣ୍ଡାଙ୍କ ବୀରତ୍ଵ ଗାଥା ଓ ଚାଚା ନେହେରୁଙ୍କ ସ୍ୱାଧୀନତା ସଂଗ୍ରାମରେ ଅବଦାନ ସଂପର୍କରେ ଆଲୋଚନା କରିଥିଲେ । ସଭାପତିତ୍ୱ କରୁଥିବା ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମହାପାତ୍ର ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜାତୀୟ ଗୌରବ ଦିବସ ଓ ଚାଚା ନେହେରୁଙ୍କ ଜୟନ୍ତୀକୁ ଶିଶୁ ଦିବସ ଭାବେ ପାଳନ ଓ ସେମାନଙ୍କ ଅବଦାନ ସଂପର୍କରେ ଆଲୋଚନା କରିବା ସହ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ କରାଯାଇ ସଠିକ୍ ଉତ୍ତର ଦେଇଥିବା ଛାତ୍ର ଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରୀ ଅମ୍ବିକା ବାରିକ, ସୁନିତା ପରିଡା ଓ ଛାତ୍ର ଲକ୍ଷ୍ମୀନାରାୟଣ ପ୍ରଧାନ ଅଭିନୟ ପ୍ରଦର୍ଶିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ପୁଷ୍ପା ତନ୍ତୀ, ପାର୍ବତୀ ବାରିକ, ଅନିମା ମିଶ୍ର, ଗୌରବ ମହନ୍ତ ଓ ବଟକୃଷ୍ଣ ଶତପଥୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.