ଭୁବନେଶ୍ୱର, (କେପିଏନ୍ଏସ୍) : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ଆୟୋଜିତ ‘ରାଜାରାଣୀ ସଙ୍ଗୀତ ଉତ୍ସବ’ର ଦ୍ୱିତୀୟ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସନ୍ଧ୍ୟାରେ ବିଶିଷ୍ଟ ଅତିଥିମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ଆର୍ ବାଲକ୍ରିଷ୍ଣନ୍, ମୁଖ୍ୟମନ୍ତ୍ରୀ ଓଡ଼ିଶାଙ୍କର ମୁଖ୍ୟ ଉପଦେଷ୍ଟା, ଦିଲ୍ଲୀପ କୁମାର ବିଶୋଇ, ରାଜ୍ୟ ସୂଚନା କମିଶନର, ସୁଦର୍ଶନ ପଟ୍ଟନାୟକ, ପଦ୍ମଶ୍ରୀ ଉପାଧିରେ ଭୂଷିତ ତଥା ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ଓ ଆନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ୍ଣ ବାଲୁକା କଳାଶିଳ୍ପୀ, ରଞ୍ଜନ କୁମାର ଦାସ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଏବଂ ଓଡ଼ିଶା ଲଳିତ କଳା ଏକାଡେମୀର ସଚିବ ପ୍ରବୋଧ କୁମାର ରଥ ଅତିଥିମାନେ ସମୂହ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଦ୍ୱିତୀୟ ଦିନର ଏହି କାର୍ଯ୍ୟକ୍ରମରେ ଦେଶର ବିଶିଷ୍ଟ ସାରଙ୍ଗୀ ବାଦକ ତଥା କିମ୍ବଦନ୍ତୀ ପୁରୁଷ ଉସ୍ତାଦ ସବିର୍ ଖାଁ ତାଙ୍କ ସାରଙ୍ଗୀ ବାଦନରେ ଦର୍ଶକ ମଣ୍ଡଳୀଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ । ସେ ହେଉଛନ୍ତି ସିକର ଘରାନାର ଆଲୋକଦୀପ୍ତ ଦାୟାଦ । ସନ୍ଧ୍ୟାରେ ସେ ରାଗ ‘କୌଶିକ କାନାଡ଼ା’ ବାଦନ କରିଥିଲେ । ତାଙ୍କ ବାଦନରେ ରାଗର ଶୁଦ୍ଧତା ସହିତ ସୃଜନଶୀଳ ଗାୟକୀ ତଥା ତାଳ ମାଧୁର୍ଯ୍ୟର ଅପୂର୍ବ ସଂଯୋଗ ଦେଖିବାକୁ ମିଳିଥିଲା । ଏହି ସାରଙ୍ଗୀ ବାଦନରେ ତବଲାରେ ତାଙ୍କୁ ସହାୟତା କରିଥିଲେ ଏମ୍ ଆର୍ ନଜର୍ । ରାଜାରାଣୀ ସଙ୍ଗୀତ ସନ୍ଧ୍ୟାର ଦ୍ୱିତୀୟ ଦିନର ଦ୍ୱିତୀୟ ପ୍ରସ୍ତୁତି ରହିଥିଲା ଗୁରୁ ବିଜୟ କୁମାର ଜେନାଙ୍କର । ସେ ଜଣେ ଲୋକପ୍ରିୟ ସଙ୍ଗୀତଜ୍ଞ ତଥା ଛାତ୍ର ବତ୍ସଳ ଗୁରୁ, ଗବେଷକ ଏବଂ ଓଡ଼ିଶୀ କଣ୍ଠଶିଳ୍ପୀ ମଧ୍ୟ ତାଙ୍କର ସୁଲଳିତ କଣ୍ଠ ଏବଂ ସାବଲୀଳ ଗାୟନଶୈଳୀ ମାଧ୍ୟମରେ ଉପସ୍ଥିତ ଦର୍ଶକମାନଙ୍କୁ ସେ ଆମୋଦିତ କରିଥିଲେ ।
Prev Post
Next Post