କୋଶଲ ସମାଜ ତରଫରୁ ଗଣଧାରଣା ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଶଲ ସମାଜ, ବଲାଙ୍ଗିର ତରଫରୁ ଝାଙ୍କରପାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଗଣଧାରଣା ଦିଆଯାଇ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, ଓଡିଶାଙ୍କ ଉଦ୍ଦେଶ୍ୟରେ ଆଜି ୫ ଦଫା ଦାବୀପତ୍ର ପ୍ରଦାନ କରାଯାଇଛି । ପ୍ରକାଶ ଥାଉ କି ହରିଶଙ୍କର ଠାରୁ ବଲାଙ୍ଗିର ଯାଏଁ ସମ୍ବିଧାନ ସୁରକ୍ଷା ପଦଯାତ୍ରାକୁ ସମର୍ଥନ କରି ଏକ ଗଣଧାରଣା ଦ୍ୱାରା ଝାଙ୍କରପାଲି ଗ୍ରାମ ପଞ୍ଚାୟତରେ ଏହି ଦାବୀପତ୍ର ପ୍ରଦାନ କରାଯାଇଛି । ଏହି ଦାବୀପତ୍ରରେ ସାମାଜିକ ସୁରକ୍ଷା ଯୋଜନାରେ ଓ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ପାଉଥିବା ଭତ୍ତା ହିତାଧିକାରୀଙ୍କର ଭତ୍ତା ରାଶିକୁ ୩୦୦୦କୁ ବୃଦ୍ଧି କରିବା, ଆର୍ଟିକଲ ୩୯ର ଖ, ଗ ଓ ଘ ଘୋଷଣା ଅନୁସାରେ କର୍ମନିଯୁକ୍ତି ନ ମିଳିବା ଯାଏଁ ବେରୋଜଗାର ଯୁବକ ଯୁବତୀଙ୍କୁ ୫୦୦୦ ବେରୋଜଗାରୀ ଭତ୍ତା ପ୍ରଦାନ କରିବା, ବଲାଙ୍ଗିର ଏକ ଦାଦନ ପ୍ରବଣ ଜିଲ୍ଲା ହୋଇଥିବାରୁ ମନରେଗା ସମସ୍ତ ବ୍ଲକରେ ୩୦୦ ଦିନ କର୍ମଦିବସ ଯୋଗାଇବା, ମନରେଗାରେ ମଜୁରୀ ୨୨୨ ପରିବର୍ତ୍ତେ ୩୨୨ କରିବା, ମନରେଗାରେ କାର୍ଯ୍ୟରତ ସମସ୍ତ ଶ୍ରମିକଙ୍କୁ ନିର୍ମାଣ ଶ୍ରମିକ କାର୍ଡ ପ୍ରଦାନ କରିବା, ଡୁଡକାଶିରା ଘାଟି ସୁରକ୍ଷା ପାଇଁ ଥାନା, ବିଟ୍‌ ହାଉସ ପ୍ରତିଷ୍ଠା କରାଯାଇ, ସିସିଟିଭି ବ୍ୟବସ୍ଥା, ଆଲୋକିକରଣ ବ୍ୟବସ୍ଥା ଓ ୨୪ ଘଣ୍ଟା ପୋଲିସ ପହରା ବ୍ୟବସ୍ଥା ଏବଂ ବଲାଙ୍ଗିର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ରାଜ୍ୟ ନିରୀକ୍ଷକ, ଝାଙ୍କରପାଲିଙ୍କ ମାଧ୍ୟମରେ ଭୂମିହୀନଙ୍କୁ ଜମି ଓ ଜଙ୍ଗଲ ଜମି ଅଧିକାର ଆଇନ୍‌ରେ ଜମି ଦେବାକୁ ଦାବୀ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ସଚିବ, କୋଶଲ ସମାଜ, ବଲାଙ୍ଗିର, କପିଳ କୁମ୍ଭାର, ଆନ୍ଧ୍ରୀୟ ଛତ୍ରିଆ, ପରମାନନ୍ଦ ବେରିଆ ଉପସ୍ଥିତ ରହି ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ସୁମନ୍ତ ମେହେର, ରମେଶ ଦଲେଇ, ମାଖନ ବଢିଆ, ଶୁଭ ନନ୍ଦ ତଥା ଶତାଧିକ ଭତ୍ତା ଓ ଭୂମିହୀନ ହିତାଧିକାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.