
ପଦ୍ମପୁର ଉପନିର୍ବାଚନ : ନାମାଙ୍କନ ପତ୍ର ଦାଖଲ କଲେନି ବିଜେପି ପ୍ରାର୍ଥୀ, ଚାଷୀଙ୍କୁ ସମର୍ଥନ ଜଣାଇ ନାମାଙ୍କନ ଭରିଲେନି ପ୍ରଦୀପ ପୁରୋହିତ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପନିର୍ବାଚନକୁ ନେଇ ଉଠୁଛି ପଡୁଛି ଅଞ୍ଚଳ । ଆଜି ବିଜେପି ଦଳର ପ୍ରାର୍ଥୀ ପ୍ରଦୀପ ପୁରୋହିତ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ଦଳ ବଳ ସହିତ ଠାଟ ପଟୁଆରରେ ଦୋରା ପେଟ୍ରୋଲ ପମ୍ପ ପଡିଆରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ । ଉପଜିଲ୍ଲାପାଳ ବିଜେପି ଦଳ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ପ୍ରସ୍ତୁତ ହୋଇ ରହିଥିଲେ । ମାତ୍ର ବିଜେପି ଦଳର ପ୍ରାର୍ଥୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ୩ ଘଣ୍ଟାକୁ ମାତ୍ର ୧୦ ମିନିଟ୍ ଥିବା ସମୟରେ ପ୍ରବେଶ କରିଥିଲେ । ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ରାଜବୋଡାସମ୍ବର କୃଷକ ସଂଗଠନ ପକ୍ଷରୁ ନିର୍ବାଚନ ପ୍ରକ୍ରିୟାକୁ ବିରୋଧ କରି ଧାରଣାରେ ବସିଥିବାରୁ କୃଷକମାନଙ୍କ ଦାବୀ ପ୍ରତି ସମ୍ମାନ ଜଣାଇ ବିଜେପି ଦଳ ନାମାଙ୍କନ ପତ୍ର ଦାଖଲ କରିବ ନାହିଁ ବୋଲି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଫେରି ଯାଇଥିଲେ । ଚାଷୀ ସଂଗଠନ ସହିତ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରଗଡ଼ ସାଂସଦ ସୁରେଶ ପୁଝାରୀ, ବିଧାୟକ ପ୍ରାର୍ଥୀ ପ୍ରଦୀପ ପୁରୋହିତ, ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ ।