ବଙ୍ଗୋମୁଣ୍ଡା ୩୬ତମ ଧନୁଯାତ୍ରା ମହୋତ୍ସବର ତୃତୀୟ ରଜନୀ : ଅଷ୍ଟମଲ୍ଲ ନିଧନରେ କଂସ ମର୍ମାହତ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦରରେ କଳା ସଂସ୍କୃତି ଐତିହ୍ୟ, ପରମ୍ପରା ଓ ଆଧ୍ୟାତ୍ମିକ ଚେତନାକୁ ଉଦ୍‌ଜୀବୀତ କରିବା ପାଇଁ ପୌରାଣିକ କଥାବସ୍ତୁକୁ ନେଇ ଆୟୋଜିତ ହେଉଥିବା ବଙ୍ଗୋମୁଣ୍ଡା ୩୬ତମ ଧନୁଯାତ୍ରା ମହୋତ୍ସବ ତୃତୀୟ ଦିନରେ ପହଞ୍ଚିବା ସହ କଂସ ମହାରାଜଙ୍କ ରାଜୁତିରେ ମଥୁରା କଟକ ପ୍ରକମ୍ପିତ ହୋଇଉଠିଛି । ମହାରାଜାଙ୍କ ରାଜ ଦରବାରକୁ ରାଜକୀୟ ଅତିଥି ଭାବେ ନୂଆପଡା ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲ, ବଙ୍ଗୋମୁଣ୍ଡା ବ୍ଲକ ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ, ଅବସରପ୍ରାପ୍ତ ସୈନିକ ଗିରିରାଜ ସିଂ ମାଝୀ, ସମାଜସେବୀ ଯୋଗେନ୍ଦ୍ର ମିଶ୍ର, ବ୍ରହ୍ମପୁରର ସିନେ କଳାକାର କୃଷ୍ଣ ପ୍ରସାଦ ପ୍ରମୁଖ ରାଜକୀୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନୁନ୍ନତ ବଲାଙ୍ଗିର ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଦାଦନ ଶ୍ରମିକ ସମସ୍ୟା ବୃଦ୍ଧି ପାଉଛି । ଅଂଚଳରୁ ଅନ୍ୟାୟ, ଦୁର୍ନୀତି, ଭ୍ରଷ୍ଟାଚାର ଦୂର କରିବା ଏବଂ ଅଂଚଳର ସମସ୍ୟାର ସମାଧାନ ପାଇଁ ଅତିଥିମାନେ କହିଥିଲେ । ବଙ୍ଗୋମୁଣ୍ଡା ଧନୁଯାତ୍ରା ଏକ ମଂଚ, ଯେଉଁଥିରେ ସ୍ଥାନୀୟ କଳାକାର ତାଙ୍କର କଳାକୁ ପରିବେଷଣ କରି ଲୋକଲୋଚନକୁ ଆସିପାରୁଛନ୍ତି ବୋଲି ଉପସ୍ଥିତ ଅତିଥିମାନେ କହିଥିଲେ । ଧନୁଯାତ୍ରା ମହୋତ୍ସବ କମିଟି ପକ୍ଷରୁ ଓଡିଶା ସିର୍ଭିଲ ସର୍ଭିସରେ ଉତ୍ତୀର୍ଣ୍ଣ ହୋଇଥିବା ବେଣୁଧର ବିଭାର, ସ୍ମୃତିରାଣୀ ବାଗ, ନଳିନୀ ବାଗ ମାନପତ୍ର ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିଥିଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରାଜ ଦରବାରରେ ପରିବେଷଣ କରାଯାଇଥିଲା । ପୌରାଣିକ କଥାବସ୍ତୁର ମଧ୍ୟାହ୍ନରେ ବଙ୍ଗୋମୁଣ୍ଡା ବସ୍ତିରେ ଥିବା ଆନନ୍ଦ ଅଗ୍ରୱାଲଙ୍କ ବାସ ଭବନରେ ନନ୍ଦ ଉତ୍ସବରେ ନନ୍ଦରାଜା ଆନନ୍ଦ ଅଗ୍ରୱାଲ, ନନ୍ଦରାଣୀ ଅଞ୍ଜୁ ଅଗ୍ରୱାଲ, କୃଷ୍ଣ ପ୍ରଜ୍ୱଳ ଯୋଶୀ, ବଳରାମ ପ୍ରଜ୍ଞାନ ମେହେର, ରାଧା ପ୍ରାଚୀ ପୁଟେଲ, ସୁଦାମା ଶିବରାମ କଟା ପ୍ରମୁଖ ଅଭିନୟ କରିଥିଲେ । ଅପରାହ୍ନରେ ବଙ୍ଗୋମୁଣ୍ଡା ସ୍ଥିତ କିଆ ବନ୍ଦରେ କାଳିଆ ଦଳନ ଓ ନାବକେଳି, ସନ୍ଧ୍ୟାରେ ଅଷ୍ଟମଲ୍ଲ ନିଧନରେ କଂସ ମର୍ମାହତ, କାଳିୟ ନାଗକୁ ଆଦେଶ, ରାଣୀ ପଦ୍ମାବତୀଙ୍କ ଧନଶ୍ରୀ ଓଷା, ରଙ୍ଗସଭା ଓ ଧନୁଯାତ୍ରା ଆରମ୍ଭ, ଅକ୍ରୁରଙ୍କୁ ଗୋପପୁର ପ୍ରେରଣ ଆଦି ଦୃଶ୍ୟ ଚିତ୍ତାକର୍ଷକ ହୋଇଥିଲା । ଡ଼. ନାରାୟଣ ମିଶ୍ର ମଂଚ ପରିଚାଳନା କରିଥିଲେ । ହଜାର ହଜାର ସଂଖ୍ୟାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକମାନେ ଉପଭୋଗ କରିଥିଲେ । କଂସଙ୍କ ରାଜ ଦରବାରରେ ମଥୁରା କଟକର (ବଙ୍ଗୋମୁଣ୍ଡା) ପ୍ରଜାଗଣଙ୍କ ମନୋରଞ୍ଜନ ପାଇଁ ନୃତ୍ୟ ଶାଳା ଡ୍ୟାନ୍ସ ଏକାଡେମୀ କଟକ, ମହାକାଳ ଡ୍ୟାନ୍ସ ଗ୍ରୁପ ବଙ୍ଗୋମୁଣ୍ଡା, ବିକି ଡ୍ୟାନ୍ସ ଗ୍ରୁପ ବଙ୍ଗୋମୁଣ୍ଡା, ଗଗନ ଡ୍ୟାନ୍ସ ଗ୍ରୁପ ବଙ୍ଗୋମୁଣ୍ଡା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବିଭିନ୍ନ କଳାକାରମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଧନୁଯାତ୍ରା ଦୁଲୁକି ଯାଉଥିବା ବେଳେ ମୀନାବଜାର, ଆକାଶ ଦୋଳି, ଆଦି ଆହୁରି ଆକର୍ଷଣୀୟ ହୋଇଥିବା ଜଣାପଡିଛି ।

jittmm
Leave A Reply

Your email address will not be published.