ଆର୍‌ଏନ୍‌ ସିଂହଦେଓଙ୍କ ସମାଧି ପାଚେରୀ ଭାଙ୍ଗି ଦେଇଥିବା ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ବରପାଲିପଡା ଠାରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ସମାଧିସ୍ଥଳର ପାଚେରୀକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଛନ୍ତ ଅଭିଯୋଗ ହୋଇଛି । ଏହି ଘଟଣା ପରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ପୁଲିସର ଖାମଖିଆଲ ମନୋଭାବ ପାଇଁ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ, ଲୋକଙ୍କ ଭାବାବେଗ ବହନ କରୁଥିବା ଉକ୍ତ ସମାଧିସ୍ଥଳରେ ଗତ କିଛିଦିନ ଧରି ଅସାମାଜିକ ତତ୍ୱମାନେ ଆଡ୍ଡା ଜମାଇଥିଲେ । ଏପରିକି ସେଠାରୁ ନିଶା ସିଣ୍ଡିକେଟ ପରିଚାଳିତ ହେଉଥିବ ଦର୍ଶାଇ ସ୍ଥାନୀୟ ବାସିନ୍ଦା ବାରମ୍ବାର ପୁଲିସ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ସେଠାକୁ ଯାଇ ଅସାମାଜିକଙ୍କୁ ଘଉଡାଇ ଚାଲି ଆସୁଥିଲା । ଫଳରେ ପୁଲିସ ଫେରିବା ପରେ ସେଠାରେ ପୁଣି ନିଶା ବେପାରୀ ଅନାୟାସରେ ନିଜ କାରବାର ଚଳାଉଥିଲେ । ସେହି ସ୍ଥାନରେ ମହାରାଜାଙ୍କ ସମେତ ମହାରାଣୀଙ୍କ ସମାଧି ମଧ୍ୟ ରହିଛି । ତେଣୁ ତାହାକୁ ପାଟଣା ଗଡଜାତର ଐତିହାସିକ ସ୍ମାରକୀ ଭାବରେ ରକ୍ଷଣାବେକ୍ଷଣ କରାଯିବା ଉଚିତ୍‌ ବୋଲି ମତ ପ୍ରକାଶ ପାଇଛି । ପ୍ରଶାସନ କିମ୍ବା ରାଜ ପରିବାରର ଦୟାଦମାନେ ସେହି ସ୍ଥଳକୁ କ୍ରମାଗତ ଭାବେ ଅଣଦେଖା କରୁଥିବା ବେଳେ ଏବେ ସମାଧି ସ୍ଥଳର ପାଚେରୀ ଭଙ୍ଗାଯିବା ଘଟଣା ସାଧାରଣରେ ଉଦ୍‌ବେଗ ସୃଷ୍ଟି କରିଛି ବୋଲି ମତ ପ୍ରକାଶ ପାଇଛି । ପୁଲିସ ଏହି ଘଟଣାର ଉଚିତ୍‌ ତଦନ୍ତ କରି କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.