oom

ବଲାଙ୍ଗିରରେ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ସ୍ଥାନୀୟ ରାଜେନ୍ଦ୍ର ବିଶ୍ଵ ବିଦ୍ୟାଳୟର ସଭା ଗୃହଠାରେ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ – ୨୦୨୨ ପାଳିତ ହୋଇଯାଇଛି । ଏହି ଦିବସରେ ଏନ୍‌ସିସି, ଯୁବ ରେଡକ୍ରସ, ଜିଲ୍ଲାସ୍ତରୀୟ ଅଧିକାରୀ, ରାଜେନ୍ଦ୍ର ବିଶ୍ଵ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ଏହି ଦିବସ ପାଳନ ଉପଲକ୍ଷେ ଅନୁଷ୍ଠିତ ସଚେତନତା ସଭାରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ଆଗୁଆ ସୂଚନା ପାଇବା ମାତ୍ରେ ସତର୍କତା ଅବଲମ୍ବନ କଲେ ଅନେକାଂଶରେ ଧନ ଜୀବନ ରକ୍ଷା କରାଯାଇ ପାରିବ ବୋଲି କହିଥିଲେ । ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ସୂଚନା ଦେବା ସହ ଏହାର ମୁକାବିଲା କରିବା ପାଇଁ ସମସ୍ତ ସ୍ତରରେ ସଚେତନ ହୋଇ ମୁକାବିଲା କରିବା ଉପରେ ଗୁରୁତ୍ଵାରୋପ କରିଥିଲେ । ଏହି ଜିଲ୍ଲା ସ୍ତରୀୟ ସଚେତନତା ସଭାରେ ରାଜେନ୍ଦ୍ର ବିଶ୍ଵ ବିଦ୍ୟାଳୟର ରେଜିଷ୍ଟ୍ରାର ଯୁଧିଷ୍ଟିର ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିପର୍ଯ୍ୟୟ ପ୍ରଶମନରେ ଗୋଷ୍ଠୀର ଭୂମିକା ଓ ଯୁବ ସମାଜ କିଭଳି ଭାବରେ ବିପର୍ଯ୍ୟୟକୁ ହ୍ରାସ କରିପାରିବେ ସେହି ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀମତୀ ରୀନା କୁମାରୀ ନାଏକ ଓଡିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କ ଦ୍ଵାରା କରାଯାଉଥିବା ବିପର୍ଯ୍ୟୟର ମୁକାବିଲା ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେବା ସହ ବଲାଙ୍ଗିର ଜିଲ୍ଲାରେ ବିପର୍ଯ୍ୟୟ ପ୍ରସ୍ତୁତି ଓ ବିପର୍ଯ୍ୟୟ ପ୍ରଶମନ ସମ୍ପର୍କରେ ଗ୍ରହଣ କରାଯାଉଥିବା ପଦକ୍ଷେପ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରି ସମାଜର ଭୂମିକା ତଥା ଗୋଷ୍ଠୀର ସହଭାଗିତା ଓ ସହଯୋଗିତା ଉପରେ ଆଲୋଚନା କରିଥିଲେ । ସହକାରୀ ଅଗ୍ନିଶମ ଅଧିକାରୀ ସତ୍ୟବ୍ରତ ପ୍ରଧାନ, ଅଗ୍ନି ନିରାପତ୍ତା ଓ ବିଭିନ୍ନ ପ୍ରକାରର ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଅଗ୍ନିଶମ ବିଭାଗର ଭୂମିକା ଉପରେ ବୁଝାଇଥିଲେ । ଓଡ୍ରାଫ ୟୁନିଟ, ବଲାଙ୍ଗିରର ପ୍ରଶିକ୍ଷକ ଫଣୀନ୍ଦ୍ର ବିଶି ଏବଂ ବଲାଙ୍ଗିର ବିପର୍ଯ୍ୟୟ ପରିଚାଳନା ୟୁନିଟର ପରାମର୍ଶଦାତା ବିକାଶ ରଞ୍ଜନ କର ବିପର୍ଯ୍ୟୟ ପରିଚାଳନା ତଥା ବିଭିନ୍ନ ପ୍ରତିକାରାତ୍ମକ ପଦକ୍ଷେପ ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ସବିଶେଷ ସୂଚନା ପ୍ରଦାନ କରିଥିଲେ । ସଭା ପରେ ଓଡ୍ରାଫ ୟୁନିଟ ଓ ଅଗ୍ନିଶମ ବିଭାଗ ବଲାଙ୍ଗିରର କର୍ମଚାରୀ ମାନେ ବିପର୍ଯ୍ୟୟର ମୁକାବିଲା, ଉଦ୍ଧାର ଓ ଥଇଥାନ ସମ୍ପର୍କରେ ବିଭିନ୍ନ ପ୍ରକାର କୌଶଳ ଓ ମକଡ୍ରିଲ ପ୍ରଦର୍ଶନ କରିଥିଲେ । ଶେଷରେ ବିପର୍ଯ୍ୟୟ ପରିଚାଳନା ୟୁନିଟର ପରାମର୍ଶଦାତା ଶ୍ରୀ କର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.