ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଅଦ୍ଭୁତପୂର୍ବ ର‍୍ୟାଲି : ୪ ଦଫା ଦାବୀ ନେଇ ଜିଲ୍ଲାପାଳଙ୍କ ମାଧ୍ୟମରେ ସରକାରଙ୍କୁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୪ ଦଫା ଦାବୀ ୨୦୦୧ରୁ ନିଯୁକ୍ତି ପାଇଥିବା ସମସ୍ତ ଶିକ୍ଷା ସହାୟକ, ଗଣଶିକ୍ଷକ ଓ କନିଷ୍ଠ ଶିକ୍ଷକ ପଦବୀ ଉଚ୍ଛେଦ କରି ମୂଳ ଚାକିରିକୁ ଗଣନା କରି ୬ଟି ଇନ୍‌କ୍ରିମେଣ୍ଟ ଦିଆଯାଉ, ନୂତନ ପେନସନ ବ୍ୟବସ୍ଥାକୁ ଉଚ୍ଛେଦ କରି ପୂରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା, ଏକ୍ସ କ୍ୟାଡର ପ୍ରାଥମିକ ଶିକ୍ଷକ ପଦବୀକୁ ଉଚ୍ଛେଦ କରି ଏଲିମେଣ୍ଟାରି କ୍ୟାଡରଭୁକ୍ତ କରିବା ଏବଂ ସମସ୍ତ ପ୍ରାଥମିକ ଶିକ୍ଷକଙ୍କୁ ଅବିକଳ କେନ୍ଦ୍ରୀୟ ହାରରେ ଦରମା ଦେବାରେ ଆଜି ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ (ଏନ୍‌ପିଏସ୍‌)ର ଆହ୍ୱାନ କ୍ରମେ ୧୪ଟି ବ୍ଲକର ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ, କନିଷ୍ଠ ଶିକ୍ଷକ ଏବଂ ଏକ୍ସ କ୍ୟାଡର ପ୍ରାଥମିକ ଶିକ୍ଷକର ଏକ ଅଦ୍ଭୁତପୂର୍ବ ମେଳି ଦେଖିବାକୁ ମିଳିଥିଲା । ଆଜି ପ୍ରାୟ ୫ହଜାରରୁ ଅଧିକ ଶିକ୍ଷକ ସ୍ଥାନୀୟ କଳାମଣ୍ଡଳ ପଡିଆରେ ଏକତ୍ରିତ ହୋଇ ଦିବା ଘ.୧୨ ସମୟରେ ଏକ ବଡ ପଟୁଆର, ପ୍ଲାକାର୍ଡ, ବେନର ଧରି ୪ ଦଫା ଦାବୀ ପୂରଣ ପାଇଁ ଗର୍ଜି ଥିଲେ । ଏହି ଶିକ୍ଷକ ର‍୍ୟାଲି କଳାମଣ୍ଡଳ ପଡିଆରୁ ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚି ଥିଲେ । ଗଣତାନ୍ତ୍ରିକ ଧାରାରେ ଅହିଂସା ଉପାୟରେ ଶିକ୍ଷକମାନେ ସରକାରଙ୍କ ଉଦ୍ଦେଶ୍ୟରେ ସ୍ଲୋଗାନ ମାଧ୍ୟମରେ ନିଜର ଦାବୀ ରଖିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ହୋଇଥିଲା । ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଶିତୋଷ କୁମାର ପାଣିଗ୍ରାହୀ ସରକାରଙ୍କର ଆର୍ଥିକ ଦୁଃସ୍ଥିତ ସମୟରେ ପ୍ରତି ଶିକ୍ଷକ ୬ ବର୍ଷ କାଳ ଠିକାରେ ସ୍ୱଳ୍ପ୍‌ ପାରିତୋଷିକରେ କାମ କରିଥିବା ବେଳେ ସରକାରଙ୍କ ଠିକା ନିଯୁକ୍ତି ଉଚ୍ଛେଦ ଓ ଠିକା ଚାକିରିକୁ ମୂଳ ଚାକିରିରେ ମିଶାଇବା ଐତିହାସିକ ନିଷ୍ପତ୍ତିରେ ଶିକ୍ଷକମାନଙ୍କୁ ବାଦ ଦିଆଯିବା ପ୍ରାଥମିକ ଶିକ୍ଷକ ଏବଂ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ଚରମ ଅବହେଳା ବୋଲି କହିଥିଲେ । ସହୃଦୟର ସହିତ ସରକାର ୪ ଦଫା ଦାବୀ ପୂରଣ ନ କଲେ ସରକାରଙ୍କ ପ୍ରତି ଶିକ୍ଷକମାନଙ୍କର ପୁଞ୍ଜିଭୁତ ଅସନ୍ତୋଷ ରାଜଧାନୀ ରାଜରାସ୍ତାରେ ପ୍ରତିଫଳିତ ହେବ ବୋଲି ସ୍ପଷ୍ଟ କରିଥିଲେ । ପେଟ ପାଟଣା ପାଇଁ ଲକ୍ଷ ଲକ୍ଷ ପ୍ରାଥମିକ ଶିକ୍ଷକଙ୍କର ଅଦ୍ଭୁତପୂର୍ଣ୍ଣ ରାଜରାସ୍ତା ଗର୍ଜିବ ଏବଂ ସରକାର ଏହି ପରିସ୍ଥିତି ପାଇଁ ଦାୟୀ ରହିବ ବୋଲି କହିଥିଲେ । ଏଥିରେ ବରିଷ୍ଠ ଆଇନଜୀବୀ ପ୍ରମୋଦ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା ପେଟପାଟଣା ଓ ସ୍ୱାଭିମାନର ଲଢେଇ ବୋଲି କହିଥିଲେ । ଶିକ୍ଷକ ସଂଘର ସଂପାଦକ ଚକାନନ୍ଦ କମ୍ପ ଦାବୀ ପୂରଣ ପାଇଁ ଶିକ୍ଷକ ଏକତାକୁ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ବି ସବୁ ବର୍ଗର ଶିକ୍ଷକ କର୍ମଠ, ଶୃଙ୍ଖଳିତ ଓ ସଂଗଠିତ ହେବା ପାଇଁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଘର କାର୍ଯ୍ୟକାରୀ ସଭାପତି କରୁଣା ପୁଟେଲ, ଏକ୍ସ କ୍ୟାଡର ଶିକ୍ଷକ ସଂଘର ଜିଲ୍ଲା ସଭାପତି ଜୟନ୍ତୀଲାଲ ସାହୁ, ସଂଜୀବ ଷଡଙ୍ଗୀ, ଖପ୍ରାଖୋଲ ବ୍ଲକ ସଭାପତି ଶୁଶିଲ କୁମାର ପୋଡ, କନିଷ୍ଠ ଶିକ୍ଷକ କୁମୁଦ ବେଦ୍‌ବାକ୍‌ ୪ ଦଫା ଦାବୀର ଯଥାର୍ଥ ଉପରେ ନିଜ ନିଜ ବକ୍ତବ୍ୟ ରଖିଥିଲେ । ଜିଲ୍ଲାପାଳଙ୍କ ତରଫରୁ ଡେପୁଟି କଲେକ୍ଟର ଦିବାକର ବାଗ, ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତିଙ୍କ ଠାରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରେରିତ ଦାବୀପତ୍ର ଗ୍ରହଣ କରିଥିଲେ । ଏହି ଆନ୍ଦୋଳନକୁ ସଫଳ କରିବାରେ ୧୪ଟି ବ୍ଲକର ସଭାପତି, ସଂପାଦକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

Leave A Reply

Your email address will not be published.