jayashree

ଆଜି ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହାଇଦ୍ରାବାଦ : ଆଜି ହାଇଦ୍ରାବାଦରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଞ୍ଜାରା ହିଲ୍‌ସର ହୋଟେଲ୍‌ ତାଜ୍ କ୍ରିଷ୍ଣାରେ ଶିଳ୍ପ ସଂଘ ଫିକି ସହଯୋଗରେ ଅନୁଷ୍ଠିତ ହେବାକୁ ଯାଉଛି ଏହି ସମ୍ମିଳନୀ । ଏହାସହ ଏଠାରେ ରୋଡ୍‌ ଶୋ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଆଜି ସେ ୩୬ଟି କମ୍ପାନୀ ସହ ପ୍ରତ୍ୟକ୍ଷ ଆଲୋଚନା କରିବେ । ମାଇକ୍ରୋସଫ୍ଟ, ପିଡବ୍ଲୁସି, ଡେଲୋଏଟ୍‌, ଭାରତ ବାୟୋଟେକ୍, ଓରାକଲ୍‌, କିମ୍‌ସ, ଏସ୍‌ଏମ୍ଏସ୍‌ ଫାର୍ମା, ତୋଷାଳି ସିମେଣ୍ଟ୍‌ସ, ମାଇ ହୋମ୍, ମେଘା ଇଞ୍ଜିନିୟରିଂ, ରାମ୍‌କି, କଣ୍ଟ୍ରୋଲ୍‌ ଏସ୍‌, ଆପୋଲୋ ହସ୍ପିଟାଲ୍‌ସ ଆଦି ସଂସ୍ଥାର ପ୍ରତିନିଧି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ନଭେମ୍ବର ୩୦ରୁ ଡିସେମ୍ବର ୪ ମଧ୍ୟରେ ଓଡ଼ିଶାରେ ହେବାକୁ ଥିବା ନିବେଶକ ସମ୍ମିଳନୀରେ ଯୋଗଦେବା ପାଇଁ ଉକ୍ତ କମ୍ପାନୀଗୁଡିକୁ ଓଡ଼ିଶାକୁ ଆମନ୍ତ୍ରଣ କରାଯିବ । ରବିବାର ମୁଖ୍ୟ ସଚିବ ସୁରେଶ ମହାପାତ୍ର ୧୩ଟି ସଂସ୍ଥାର ମୁଖ୍ୟ ଓ ବରିଷ୍ଠ ଅଧିକାରୀମାନଙ୍କ ସହ ୱାନ ଟୁ ୱାନ ଆଲୋଚନା କରିଛନ୍ତି । ଏହା ପୂର୍ବରୁ ଦୁବାଇ, ମୁମ୍ବାଇ, ଦିଲ୍ଲୀ, ଅହମ୍ମଦାବାଦ ଓ ବେଙ୍ଗାଲୁରୁ ଭଳି ସହରରେ ଏଭଳି ନିବେଶକ ସମ୍ମିଳନୀ ଆୟୋଜିତ ହୋଇସାରିଛି । ବର୍ତ୍ତମାନ ସୁଦ୍ଧା ୩୦୦ରୁ ଅଧିକ ଶିଳ୍ପପତି, ନିବେଶକ ଓ ବ୍ୟବସାୟୀ ମେକ୍ ଇନ୍ ଓଡ଼ିଶା ୨୦୨୨ରେ ଅଂଶଗ୍ରହଣ କରିବା ଲାଗି ପଞ୍ଜିକରଣ କରିସାରିଛନ୍ତି । ସେପଟେ ହାଇଦ୍ରାବାଦରେ ଏହି କାର୍ଯ୍ୟକ୍ରମ ଶେଷ ହେବା ପରେ ସେଠାରୁ ମୁଖ୍ୟମନ୍ତ୍ରୀଙ୍କର ମୁମ୍ବାଇ ଯିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି ।

Leave A Reply

Your email address will not be published.