ଓଲଟିଲା ଯାତ୍ରୀବାହୀ ବସ୍‌

ବାଲେଶ୍ୱର : ବାଲେଶ୍ୱର ୬୦ ନଂ. ଜାତୀୟ ରାଜପଥର ସଦର ବ୍ଲକ ଅନ୍ତର୍ଗତ ହଳଦୀପଦା ନିକଟରେ ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିଛି । ଫଳରେ ୧୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ବସ୍ତା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । କୋଲକାତାରୁ ଚାନ୍ଦବାଲି ରାଜକନିକା ଅଭିମୁଖେ ଯାଉଥିବା ଓଡି ୨୨ ଇ ୭୩୮୩ ନମ୍ବର ଜଗାକାଳିଆ ନାମକ ଯାତ୍ରୀବାହୀ ବସ୍‌ ହଳଦୀପଦା ବାଇପାସ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଡ୍ରେନ୍‌ରେ ଓଲଟି ପଡ଼ିଥିଲା । ଗୁରୁବାର ଭୋର୍‌ ସମୟରେ ଡ୍ରାଇଭରଙ୍କ ଆଖି ଲାଗି ଯାଇଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି । ବସ୍‌ରେ ପ୍ରାୟ ୫୦ ଜଣ ଯାତ୍ରୀ ଥିବା ବେଳେ ୧୦ରୁ ଅଧିକ ମହିଳା ଓ ପୁରୁଷ ଯାତ୍ରୀ ଆହତ ହୋଇଛନ୍ତି । ଜଣେ ନାବାଳକଙ୍କ ଗୋଡ଼ ଭାଙ୍ଗିଯାଇଥିବା ଜଣାପଡ଼ିଛି । ଘଟଣାସ୍ଥଳରୁ ଡ୍ରାଇଭର ଓ ହେଲ୍‌ପର ଫେରାର ଅଛନ୍ତି । କିଛି ଯାତ୍ରୀ ଅନ୍ୟ ବସ୍‌ରେ ଘରକୁ ଯାଇଥିବା ବେଳେ ଆଉ କିଛି ଯାତ୍ରୀ ବସ୍‌ ପାଖରେ ବସିଥିବାର ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ବସ୍ତା ପୋଲିସ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଛି ।

Leave A Reply

Your email address will not be published.