କଥା ରଖିଲାନି ଶିକ୍ଷା ବିଭାଗ, ସ୍କୁଲରେ ତାଳା ପକାଇ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଧାରଣା

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ମରୁଆଁ ପଞ୍ଚାୟତ ପାଢେଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବୀରେ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ସ୍କୁଲରେ ତାଳା ପକାଇ ସମ୍ମୁଖରେ ଧାରଣା ଦେଇଛନ୍ତି । ପ୍ରକାଶ ଯେ, ଏହି ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ୨୭୫ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ପୂର୍ବରୁ ଏହି ସ୍କୁଲରେ ୮ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଥିଲେ । କିନ୍ତୁ ଜୁଲାଇ ମାସରେ ତିନିଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅନ୍ୟ ସ୍କୁଲକୁ ବଦଳି କରାଯାଇଥିଲା ।ଫଳରେ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଥିଲା । ଯାହାକୁ ନେଇ ଗତ ଅଗଷ୍ଟ ୯ ତାରିଖରେ ସ୍କୁଲ ପରିଚାଳନା କମିଟି ଓ ଅଭିଭାବକ ଛାତ୍ରଛାତ୍ରୀମାନେ ଧାରଣାରେ ବସିଥିଲେ । ଖବର ପାଇଁ ପାଟଣାଗଡ ବିଇଓ ଶଙ୍କର ପ୍ରସାଦ ମାଝୀ ଧାରଣା ସ୍ଥଳକୁ ପହଞ୍ଚି ୪ ଦିନ ମଧ୍ୟରେ ଶିକ୍ଷକ ନିଯୁକ୍ତି ଦେବାକୁ ପ୍ରତିଶୃତି ଦେଇଥିଲେ । ବିଇଓଙ୍କ ପ୍ରତିଶୃତି ମୁତାବକ ଅନ୍ୟ ସ୍କୁଲରୁ ଏହି ସ୍କୁଲରୁ ଦୁଇ ଜଣ ଶିକ୍ଷକ ଡେପୁଟେସନରେ ଏହି ସ୍କୁଲକୁ ପଠାଇଥିଲେ । ପୁଣି ବିଇଓ ୨ ଜଣ ଶିକ୍ଷକଙ୍କ ଡେପୁଟେସନ ବାତିଲ କରିଦେଇଥିଲେ । ଯାହାକୁ ନେଇ ସ୍କୁଲ ପରିଚାଳନା କମିଟି ଓ ଅଭିଭାବକମାନେ ବିଇଓଙ୍କୁ ଲିଖିତ ଜଣାଇଥିଲେ । କୌଣସି ସୁଫଳ ନମିଳିବାରୁ ପୁଣି ଅଭିଭାବକ ଓ ଛାତ୍ରଛାତ୍ରୀମାନେ ସ୍କୁଲରେ ତାଳାପକାଇ ଧାରଣାରେ ବସିପଡି ଥିଲେ । ଖବର ପାଇ ବିଇଓଙ୍କ ନିର୍ଦ୍ଦେଶ କ୍ରମେ ସିଆରସିସି ଗୌରଚନ୍ଦ୍ର ଆଚାର୍ଯ୍ୟ ପହଞ୍ଚି ଆଲୋଚନା କରିଥିଲେ ।ସିଆରସିସି ଶ୍ରୀ ଆଚାର୍ଯ୍ୟ ବିଇଓଙ୍କ ଦ୍ଵାରସ୍ଥ ହେବାକୁ କହିଥିଲେ । ସିଆରସିସିଙ୍କ କହିବା ମୁତାବକ ସ୍କୁଲ ପରିଚାଳନା କମିଟିର ସଭାପତି ଓ ଅଭିଭାବକମାନେ ବିଇଓଙ୍କ କାର୍ଯ୍ୟାଳୟ ଯାଇ ଆଲୋଚନା କରିଥିଲେ । ଆଲୋଚନା ପରେ ମଧ୍ୟ କୌଣସି ସୁଫଳ ନହେବାରୁ ଧାରଣା ଜାରି ରହିବ ବୋଲି ସ୍କୁଲ ସଭାପତି ଶୁସିଲ ସରାଫଙ୍କ ଠାରୁ ଜଣାପଡିଛି । ଏଥିରେ ଦଶରଥ ପଟେଲ, ଦୁର୍ଯ୍ୟୋଧନ ସରାଫ, ଶେଷ ବନଛୋର, ରାଜପ୍ରସାଦ ପଟେଲ, ଅର୍ଜୁନ କାଲସାଏ, ମୋହିଲାଲ ହରିପାଲ, ସୁରେଶ ଲୁହା, ମହାଦେବ ବଗର୍ତ୍ତି, ହାଡୁ ବନଛୋର, ଉଦିତ ପୁଟେଲ, କୁଞ୍ଜବନ ସାହୁ, ଭିକ ବନଛୋର ସମେତ ଶତାଧିକ ଅଭିଭାବକ ଗ୍ରାମବାସୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.