ଭୁବନେଶ୍ୱର, (କେପିଏନ୍ଏସ୍) : ରାଜ୍ୟର ଉଚ୍ଚ ମାଧ୍ୟମିକ ସ୍କୁଲରେ ଯୁକ୍ତ୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ମଙ୍ଗଳବାରଠାରୁ ଆରମ୍ଭ ହେବ । ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଏହି ନାମଲେଖା ସକାଳ ୯ଟାରୁ ଅପରାହ୍ନ ୫ଟା ମଧ୍ୟରେ ଅନୁଷ୍ଠିତ ହେବ । ଏହା ପରେ ଦ୍ୱିତୀୟ ପର୍ଯ୍ୟାୟର ସ୍ପଟ୍ ନାମଲେଖା ପାଇଁ ୧୮ ତାରିଖ ଅପରାହ୍ନ ୨ଟାରେ ମେଧା ତାଲିକା ପ୍ରକାଶ ପାଇବ, ଯାହାକି ବଳକା ସିଟ୍ର ୫ଗୁଣା ରହିବ । ମନୋନୀତ ଛାତ୍ରଛାତ୍ରୀ ୧୮ ତାରିଖ ଅପରାହ୍ନ ସାଢ଼େ ୨ଟାରୁ ୧୯ ତାରିଖ ଅପରାହ୍ନ ୪ଟା ଭିତରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନରେ ନାମ ପଞ୍ଜୀକରଣ କରିବେ । ୨୦ ତାରିଖ ପୂର୍ବାହ୍ନ ୧୧ଟା ୫୦ରେ ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ ପାଇବ । ଏଥିରେ ଚୟନ ହୋଇଥିବା ଛାତ୍ରଛାତ୍ରୀ ୨୦ ତାରିଖ ଅପରାହ୍ନ ୨ଟାରୁ ୨୧ ତାରିଖ ଅପରାହ୍ନ ୪ଟା ଭିତରେ ନାମ ଲେଖାଇବେ । ସୂଚନାଯୋଗ୍ୟ, ରାଜ୍ୟରେ ଉଚ୍ଚ ମାଧ୍ୟମିକ ସ୍କୁଲରେ ଯୁକ୍ତ୨ ପ୍ରଥମ ପର୍ଯ୍ୟାୟ ନାମଲେଖା ଶେଷ ହୋଇଛି । ସିଟ୍ ବଳକା ପଡ଼ିଥିବା ବେଳେ ବହୁ ଛାତ୍ରଛାତ୍ରୀ ବିଭିନ୍ନ କାରଣରୁ ଆବେଦନ କରିପାରି ନ ଥିଲେ । ତେଣୁ ସେମାନଙ୍କୁ ସୁଯୋଗ ଦେବା ପାଇଁ ଗଣଶିକ୍ଷା ବିଭାଗ ପ୍ରଥମ ଥର ପାଇଁ ଚଳିତବର୍ଷ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ନିଷ୍ପତ୍ତି ନେଇଥିଲା । ଏଥିପାଇଁ ଗତ ସେପ୍ଟେମ୍ବର ୧୦ରୁ ୨୭ ତାରିଖ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଚାଲିଥିଲା ।
Prev Post
Next Post