ଭୁବନେଶ୍ୱର, (କେପିଏନ୍ଏସ୍) : ଚଳିତ ମାସ ଠାରୁ ଫେରନ୍ତା ଦକ୍ଷିଣ ପଶ୍ଚିମ ମୌସୁମୀ-ବାୟୁ ପ୍ରଭାବରେ (ବିଶେଷତଃ ଅକ୍ଟୋବର ଓ ନଭେମ୍ବର ମାସରେ) ଓଡ଼ିଶାରେ ଭୀଷଣ ବାତ୍ୟା ଅନୁଭୁତ ହୁଏ । ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ବାତ୍ୟା-ଋତୁ ପାଇଁ ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟସ୍ତରୀୟ ବାତ୍ୟା ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ନିର୍ଦ୍ଧାରିତ ଏସ୍ଓପି ଅନୁସାରେ ଆବଶ୍ୟକୀୟ ପଦାର୍ଥ, ଉପକରଣ ଏବଂ ମାନବ ସମ୍ବଳ ଆଦିର ମାନଚିତ୍ର ପ୍ରସ୍ତୁତ ସହ ସେସବୁକୁ ପୂର୍ଣ୍ଣ କର୍ମକ୍ଷମ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଏଚଆର ବିଶ୍ୱାସ ଜଣାଇଥିଲେ ଯେ, ଓଡ଼ିଶାର ବର୍ତ୍ତମାନ ଜଳବାୟୁ ସ୍ଥିତି ବାତ୍ୟା ଅନୁକୂଳ ରହିଛି ହେଲେ ଆସନ୍ତା ୧୫ ଦିନ ଭିତରେ ବାତ୍ୟାର ସୂଚନା ମିଳିନାହିଁ । ସୂଚନାଯୋଗ୍ୟ ଯେ, ଓଡ଼ିଶାରେ ବାତ୍ୟାର ପୂର୍ବାନୁମାନ ଏବଂ ଆଗୁଆ ସତର୍କ ସୂଚନା ପ୍ରସାରଣ ଭିତ୍ତିଭୂମିକୁ ସୁଦୃଢ କରାଯାଇଛି । ଗୋପାଳପୁର ଓ ପାରାଦ୍ୱୀପଠାରେ ଡପ୍ଲର ପାଣିପାଗ ରାଡାର ଷ୍ଟେସନ ସହ ବାଲେଶ୍ୱର, ଚାନ୍ଦବାଲି, ପୁରୀ, ଭୁବନେଶ୍ୱର, ଗୋପାଳପୁର ଏବଂ ପାରାଦ୍ୱୀପ ଆଦି ସ୍ଥାନରେ ଉଚ୍ଚକ୍ଷମତା ସମ୍ପନ୍ନ ବାୟୁଗତି ପରିମାପକ ଯନ୍ତ୍ରମାନ (ହାଇ ଓ୍ୱିଣ୍ଡ୍ ସ୍ପିଡ୍ ରେକର୍ଡର) ସ୍ଥାପନ କରାଯାଇଛି । ଏହା ଘଣ୍ଟାପ୍ରତି ୩୦୦ କିମି ପବନ ସ୍ଥିତିରେ ମଧ୍ୟ କାର୍ଯ୍ୟକରିପାରିବ । ଏନେଇ ରାଜ୍ୟ ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।