ବିସର୍ଜନ ବେଳେ ଭାସିଯାଇ ୧୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ବୁଧବାର ଦେବୀ ଦୁର୍ଗାଙ୍କ ମୂର୍ତ୍ତି ଭସାଣି ବେଳେ ଅଘଟଣ ଘଟିଛି । ରାଜସ୍ଥାନ ଏବଂ ପଶ୍ଚିମବଙ୍ଗରେ ମୋଟ ୧୩ ଜଣଙ୍କର ମୃତ୍ୟୁ ଘଟଥିବା ଜଣାପଡିଛି । ସୂଚନା ଅନୁସାରେ, ପଶ୍ଚିମବଙ୍ଗର ୭ ଜଣ ଏବଂ ରାଜସ୍ଥାନର ୬ ଜଣ ମେଢ ଭସାଇବାକୁ ଯାଇଥିବା ବେଳେ ପାଣିରେ ବୁଡ଼ିଯାଇ ତାଙ୍କର ମୃତ୍ୟୁ ହୋଇଛି । ପଶ୍ଚିମବଙ୍ଗର ଜଲପାଇଗୁଡି ଜିଲ୍ଲାର ମାଲ ନଦୀରେ ଲୋକମାନେ ମୂର୍ତ୍ତି ବୁଡ଼ ପକାଇବା ପାଇଁ ଓହ୍ଲାଇଥିଲେ, ହଠାତ୍ ଜଳ ସ୍ତର ବଢିବାରେ ଲାଗିଥିଲା । ପାଣିର ସୁଅ ଆସିଯିବା ପରେ ୭ ଜଣଙ୍କର ମୃତ୍ୟୁ ଘଟିଛି । ଜଲପାଇଗୁଡି ଏସ୍‌ପି ଦେବର୍ସି ଦତ୍ତ କହିଛନ୍ତି ଯେ, ପାଣିର ପ୍ରଖର ସୁଅରେ ଅନେକ ଲୋକ ଭାସି ଯାଇଛନ୍ତି । ଅନେକ ନିଖୋଜ ରହିଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେଣୁ ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ । ଏଥିସହ ବୁଧବାର ରାଜସ୍ଥାନର ଅଜମେର ଜିଲ୍ଲାର ନାସିରାବାଦ ସଦର ପୋଲିସ ଷ୍ଟେସନ ଅଞ୍ଚଳରେ ଦୁର୍ଗାଙ୍କ ମୂର୍ତ୍ତି ଭସାଣି ବେଳେ ବର୍ଷା ପାଣିରେ ଭର୍ତ୍ତି ହୋଇଥିବା ଖାଲରେ ବୁଡ଼ି ଯାଇ ୬ ଜଣଙ୍କର ମୃତ୍ୟୁ ଘଟିଛି । ପୋଲିସ ଏହି ସୂଚନା ଦେଇଛି । ଅଜମେର ପୋଲିସ କହିଛି ମେଢ ଭସାଇବାକୁ ଆସିଥିବା ଲୋକେ ଜାଣିନଥିଲେ ଖାଲର ଗଭୀର । ତେଣୁ ଏଭଳି ଏକ ଅଘଟଣ ଘଟିଛି । ପୋଲିସ କହିଛି ପ୍ରଥମେ ପାଞ୍ଚଟି ମୃତଦେହ ଉଦ୍ଧାର କରାଯାଇଥିଲା, ପରେ ଜଣାପଡିଥିଲା ​​ଯେ ଆଉ ଜଣେ ନିଖୋଜ ଅଛନ୍ତି, ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ଏବଂ ସନ୍ଧ୍ୟାରେ ଆଉ ଗୋଟିଏ ମୃତଦେହ ଉଦ୍ଧାର କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପଶ୍ଚିମବଙ୍ଗରେ ଘଟିଥିବା ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.