ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ମହାନଗର ନିଗମକୁ ସ୍ୱଚ୍ଛ ସର୍ବେକ୍ଷଣରେ ସଫଳତା ମିଳିଛି । ୩ରୁ ୧୦ ଲକ୍ଷ ଜନ ସଂଖ୍ୟା ବିଶିଷ୍ଠ ସହର ବର୍ଗର ଅଭିନବୀକରଣ ଏବଂ ଶ୍ରେଷ୍ଠ କାର୍ଯ୍ୟକାରିତା(ଇନୋଭେସନ ଆଣ୍ଡ ବେଷ୍ଟ ପ୍ରାକ୍ଟିସ୍)ରେ ବ୍ରହ୍ମପୁରକୁ ଶ୍ରେଷ୍ଠ ସହର ଭାବେ ପୁରସ୍କୃତ କରାଯାଇଛି । ଦିଲ୍ଲୀର ଅନୁଷ୍ଠିତ ସ୍ୱଚ୍ଛ ସର୍ବେକ୍ଷଣ-୨୦୨୨ କାର୍ଯ୍ୟକ୍ରମରେ ପୁରସ୍କାର ପ୍ରଦାନ କରାଯାଇଛି । ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗର ରାଷ୍ଟ୍ରମନ୍ତ୍ରୀ କୌଶଳ କିଶୋର ଏବଂ ସମ୍ମାନିତ ଅତିଥି ଭାବେ ବିଭାଗୀୟ ସଚିବ ମନୋଜ ଯୋଶୀ ପୁରସ୍କୃତ କରିଥିଲେ । ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, କମିଶନର ଜେ.ସୋନାଲ ପୁରସ୍କାର ଗ୍ରହଣ କରିଥିବା ବେଳେ ବ୍ରହ୍ମପୁର ଉପଜିଲାପାଳ ଭି.କିର୍ତ୍ତି ଭାସନ ଉପସ୍ଥିତ ଥିଲେ । ମହାନଗର ନିଗମ ତରଫରୁ ସ୍ୱଚ୍ଛତା ମୋବାଇଲ୍ ପ୍ରସ୍ତୁତ କରାଯାଇଛି । ଏହି ଆପ୍ ଜରିଆରେ ସହରବାସୀ ଆଳିଆ ସଂଗ୍ରହ ଠାରୁ ଆରମ୍ଭ କରି ଶୌଚାଳୟ ସଫେଇ, ପାଇଖାନା ଗାଡ଼ି ଏବଂ ଅନ୍ୟାନ୍ୟ ପରିମଳ ଜନିତ ସୁବିଧା ଓ ଅସୁବିଧା ବିଷୟରେ ମତାମତ ଦିଆଯାଉଛି । ମହାନଗର ନିଗମର ଏହି ଅଭିନବୀକରଣ ପାଇଁ ବ୍ରହ୍ମପୁରକୁ ପୁରସ୍କାର ପ୍ରଦାନ କରାଯାଇଛି ।
Prev Post