lika

ରାଜକିୟ ପରମ୍ପରା ଖଣ୍ଡା ଧୁଆ ସହ ପଦ୍ମପୁର ରାଜବାଟୀରେ ଆରମ୍ଭ ହେଲା ଦୁର୍ଗାପୂଜା

gbag

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗଣତନ୍ତ୍ରରେ ରାଜତନ୍ତ୍ରର ମହକ ଦେଇଥାଏ ପଦ୍ମପୁର ସାର୍ବଜନୀନ ଦୁର୍ଗାପୂଜା । ରାଜ ଭକ୍ତି ଓ ଭାଇଚାରାର ଅନନ୍ୟ ମିଳନ ପଦ୍ମପୁର ରାଜବାଟୀରେ ହେଉଥିବା ଦୁର୍ଗାପୂଜା । ପୁରାତନ ବୋଡାସମ୍ବର ରାଜାଙ୍କ ଶାସନାଧିନ ଅଂଚଳମାନଙ୍କରେ ଆଜି ମଧ୍ୟ ସମସ୍ତେ ମିଶି ପଦ୍ମପୁର ରାଜବାଟୀରେ ହିଁ ପାରମ୍ପରିକ ରୀତିନୀତି ଅନୁଯାୟୀ ବିଲ୍ୱ ବରଣ ଓ ଖଣ୍ଡା ଧୁଆ ସହ କରିଥାନ୍ତି ମା’ଙ୍କର ଆରାଧନା । ରାଜକିୟ ପରମ୍ପରା ଓ ରୀତିନୀତିରେ ଖଣ୍ଡା ଧୁଆ ସହ ପଦ୍ମପୁର ରାଜବାଟୀରେ ଆରମ୍ଭ ହେଲା ଦୁର୍ଗାପୂଜା । ବହୁ ପୁରାତନ କାଳରୁ ପଦ୍ମପୁର ରାଜବାଟୀରେ ହୋଇ ଆସୁଥିବା ଏହି ପୂଜା ବହୁ ଧୁମ୍‌ଧାମରେ ପାଳିତ ହୋଇଥାଏ । ରାଜବାଟୀ ମଣ୍ଡପରେ ଆବାହମାନ କାଳରୁ ହୋଇ ଆସୁଥିବା ଏହି ପୂଜାରେ ସାମଲି ହେବା ପାଇଁ ବହୁ ସଂଖ୍ୟାରେ ଭକ୍ତଙ୍କ ଭିଡ ଜମିଥାଏ । ରାଜୁଡି ଶାସନ କାଳରେ ବ୍ୟବହୃତ ହେଉଥିବା ଅସ୍ତ୍ର ଶସ୍ତ୍ର ଗୁଡିକୁ ରୀତିନୀତିରେ ବାହାର କରି ମହାସମାରୋହରେ ନଗର ପରିକ୍ରମା କରାଯାଇଥାଏ । ପରେ ପଦ୍ମପୁର ସ୍ଥିତ ରାଜଘାଟ ଠାରେ ପରମ୍ପରାଗତ ପୂଜା ବିଧି ସମ୍ପର୍ଣ୍ଣ କରିବା ସହ ଖଣ୍ଡା ଗୁଡିକୁ ଧୋଇ ଚନ୍ଦନ ପ୍ରଲେପନ କରାଯାଇଥାଏ । ପୁନଃ ରାଜ ଉଆସକୁ ଫେରି ଅସ୍ତ୍ର ଶସ୍ତ୍ର ଗୁଡିକୁ ଶସ୍ତ୍ର ପୂଜା ଗୃହରେ ସ୍ଥାପନ କରିବା ସହ ରାଜାଙ୍କ ପାଟ ଖଣ୍ଡାକୁ ପୂଜା ମଣ୍ଡପରେ ସ୍ଥାପନ କରାଯାଇଥାଏ । ଖଣ୍ଡା ଧୋଇ ଫେରିଲା ବେଳକୁ ଦୀପ ଧୂପ ଆଦି ଜଳାଇ ଖଇ ଏବଂ ପୁଷ୍ପ ବୃଷ୍ଟି ସହ ଜନସାଧାରଣ ପାଟଖଣ୍ଡାକୁ ସ୍ୱାଗତ ଜଣାଇବା ସହ ଦର୍ଶନ କରିଥାନ୍ତି । ଏହି ଖଣ୍ଡା ଧୁଆ ଦିବସର ପଦ୍ମପୁରରେ ଆହୁରି ଏକ ବିଶେଷତ୍ୱ ରହିଛି । ବର୍ଷସାର ଲୋକଙ୍କ ବୁଲିବା ପାଇଁ ବନ୍ଦ ରହୁଥିବା ରାଜ ଉଆସ ଏହି ଦିନ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଥାଏ । ରାଜାଙ୍କ ଶସ୍ତ୍ରାଗାର ଠୁ ନେଇ ରାଜାଙ୍କ ମହଲର କୋଣ ଅନୁକୋଣ ବୁଲି ଦେଖିଥାନ୍ତି ସାଧାରଣ ଜନତା । ଗତ ପ୍ରାୟ ଦୁଇ ବର୍ଷ କୋଭିଡ ଯୋଗୁଁ ଲୋକେ ମା’ଙ୍କର ପ୍ରତ୍ୟକ୍ଷ ଦର୍ଶନରୁ ବଂଚିତ ରହିଥିବା ବେଳେ ଚଳିତ ବର୍ଷ ଭକ୍ତଙ୍କ ଆଶିର୍ଣ ଭିଡକୁ ଦୃଷ୍ଟିରେ ରଖି ପୂଜା କମିଟି ଏବଂ ପ୍ରଶାସନ ତରଫରୁ ସମସ୍ତ ପ୍ରକାରର ସୁରକ୍ଷା ବ୍ୟବସ୍ଥା କରାଯାଇଛି ଏବଂ ଭକ୍ତ କିପରି ଭଲ ଭାବରେ ମା’ଙ୍କୁ ଦର୍ଶନ ଓ ପୂଜା କରି ପାରିବେ ତାର ବ୍ୟବସ୍ଥା ହୋଇଛି । ତେବେ ଜଗତ ଜନନୀଙ୍କ କୃପା ସହ ରାଜକିୟ ପରମ୍ପରାର ସାଖି ହେବା ପାଇଁ ଭକ୍ତଙ୍କ ଖୁବ୍‌ ଭିଡ ଜମେ ପଦ୍ମପୁର ରାଜବାଟୀରେ ।

sandip
Leave A Reply

Your email address will not be published.