କ୍ୟୁସିଏଫ୍ଆଇ ଗୁଣାତ୍ମକ ମଣ୍ଡଳୀର ୩୦ତମ ସମ୍ମିଳନୀ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : କ୍ୱାଲିଟି ସର୍କଲ ଫୋରମ୍ ଅଫ୍ ଇଣ୍ଡିଆ, ରାଉରକେଲା ତରଫରୁ କନଭେନସନ୍ ଅଫ୍ କ୍ୱାଲିଟି କନ୍ସେପ୍ଟସ୍ ଶୀର୍ଷକ ଏକ ଦୁଇଦିନିଆ ସମ୍ମିଳନୀ ଦୁଇଦିନ ଧରି ରାଉରକେଲା ଛେଣ୍ଡ କଲୋନୀ ସ୍ଥିତ ରିମସ୍ ପରିସରରେ ଆୟୋଜିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଆରଏସ୍‌ପିର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ ଉଦ୍‌ଘାଟକ ଭାବେ ଯୋଗଦେଇ ଉଦ୍‌ଘାଟନ କରିବା ସହ ବେଦାନ୍ତ ପାୱାର ଏବଂ ଆଲୁମିନା ସେକ୍ଟର ଝାରସୁଗୁଡାର ସିଇଓ ଏସ୍‌.କେ ସତ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । କ୍ୟୁସିଏଫଆଇ ରାଉରକେଲାର ଅଧ୍ୟକ୍ଷ ତଥା ସେଲ୍ ଆରଏସ୍‌ପିର କାର୍ଯ୍ୟକାରୀ ନିର୍ଦ୍ଦେଶକ ଏସ୍‌ଆର ସୁର୍ଯ୍ୟବଂଶୀଙ୍କ ନେତୃତ୍ୱରେ ଏହି ସମ୍ମିଳନୀର ଆୟୋଜନ କରିଥିବା ବେଳେ ସାଧାରଣ ସମ୍ପାଦକ ଏସ.ସି ପ୍ରସାଦ ତତ୍ତ୍ୱାବଧାନ କରିଥିଲେ । ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଚେତନ ଶ୍ରୀବାସ୍ତବ ପରିଚାଳନା କରିଥିଲେ । ମଞ୍ଚାସୀନ ଅତିଥିଙ୍କ ମଧ୍ୟରେ ରିମସର ସମ୍ପାଦକ ତଥା ଓଡିଶା ମ୍ୟାନେଜମେଣ୍ଟ କଲେଜ ଆସୋସିଏସନର ଅଧ୍ୟକ୍ଷ ବିଶିଷ୍ଟ ଶିକ୍ଷାବିତ୍ ଡଃ. ଆର୍ଯ୍ୟ ପଟ୍ଟନାୟକ ଯୋଗଦେଇ ଶିଳ୍ପ ଏବଂ ଶିକ୍ଷାକେନ୍ଦ୍ରର ସହଭାଗିତାରେ ଦେଶର ଉନ୍ନତି ସମ୍ଭବ ବୋଲି କହିଥିଲେ । ସୂଚନା ଯୋଗ୍ୟ ଯେ, ବିଭିନ୍ନ ଉତ୍ପାଦର ଗୁଣବତ୍ତାକୁ ନେଇ ଏହି ସମ୍ମିଳନୀରେ ଗୁଣାତ୍ମକ ଧାରଣା ସମ୍ବନ୍ଧୀୟ ବିଚାର ବିମର୍ଷ, ଶିକ୍ଷା ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥାଏ । ରାଉରକେଲା ଚାପ୍ଟର ନିଜ ଅସ୍ତିତ୍ୱର ୩୦ବର୍ଷ ଉପଲକ୍ଷେ ଚଳିତବର୍ଷ ଚାପ୍ଟର ସମ୍ମିଳନୀ ବ୍ୟତୀତ ନିୟମିତ ଭାବେ ସମ୍ମିଳନୀ ଏବଂ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାନ ଆୟୋଜିତ କରିଥାଏ । ୧୬୯ ଟିମ୍ ସଦସ୍ୟଙ୍କ ସହିତ ୨୬୪ ଆଜୀବନ ସଦସ୍ୟଙ୍କୁ ନେଇ ରାଉରକେଲା ଚାପ୍ଟର ଦିନକୁ ଦିନ ମଜବୁତ ହେବାରେ ଲାଗିଛି । ନିୟମିତ ଅଭ୍ୟାସ ମାଧ୍ୟମରେ ସାଧାରଣ କର୍ମୀଙ୍କୁ ଉତ୍ସାହିତ କରିବା ତଥା ଉତ୍ପାଦ ଏବଂ ଉତ୍ପାଦନ, ଉତ୍ପାଦକତା, ମୂଲ୍ୟ, ନିରାପତ୍ତା, ପରିବେଶ ସୁରକ୍ଷା ଏବଂ ଗୁଣବତ୍ତା ଦିଗରେ ନିଷ୍ପତ୍ତି ନେବା ପ୍ରକ୍ରିୟାରେ ସେମାନଙ୍କୁ ସକ୍ଷମତା ପ୍ରଦାନ କରିବା ହେଉଛି ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ । ତୃଣମୂଳ ସ୍ତରର କର୍ମଚାରୀମାନଙ୍କୁ ଏଥିରେ ଅଂଶଗ୍ରହଣ କରିବା ଏବଂ ସେମାନଙ୍କର ଜ୍ଞାନ ଏବଂ କୌଶଳକୁ ବାଣ୍ଟିବା ସହ ନିଜ ନିଜ କ୍ଷେତ୍ରରେ କାର୍ଯ୍ୟକାରୀଙ୍କୁ କରିବାକୁ ଉତ୍ସାହିତ ନିମନ୍ତେ ମୌଳିକ ଧ୍ୟାନ ଦିଆଯାଇଥାଏ । ନିଜ ସହିତ ନିଜ ଗୋଷ୍ଠୀର ବିକାଶ ସକାଶେ ଉଦ୍ୟୋଗପତି, କର୍ମଚାରୀ, ଶିକ୍ଷଣୀୟ ସଂସ୍ଥାନ, ପୁଲିସ ଏବଂ ପ୍ରଶାସନିକ କ୍ଷେତ୍ର, ଡାକ୍ତରଖାନା, ବ୍ୟାଙ୍କିଂ ସେବା ଏପରିକି କୃଷିକ୍ଷେତ୍ରରେ ଗୁଣବତ୍ତା ଧାରଣାକୁ ନେଇ ଏପରି ଅଭିଯାନର ଆୟୋଜନ କରାଯାଇଥାଏ । ଏପରି ବିଚାରଧାରାକୁ ସମଗ୍ର ବିଶ୍ୱରେ ପ୍ରଚାର ଓ ପ୍ରସାର କରିବାର ଯୋଜନା ରହିଛି । ଏହି ସମ୍ମିଳନୀରେ ଓଡ଼ିଶା ସମେତ ଝାଡ଼ଖଣ୍ଡ ଓ ଛତିଶଗଡ଼ରୁ ସେଲ୍ ଆରଏସପି, ସେଲ ମାଇନ୍ସ, ଏମଆଇଓଏମ୍, କେଆଇଓଏମ୍, ଟିଆରଏଲ କ୍ରୋସାକି ବେଲପାହାଡ, ଆଦିତ୍ୟ ଆଲୁମିନିୟମ୍ ସମ୍ବଲପୁର, ଜେଏସପିଏଲ ଅନୁଗୁଳ, ବଡବିଲ-ଟେନସା, ଟାଟାଷ୍ଟିଲ, ଜାମସେଦପୁର, ଡିପିସିଏଲ ଭଦ୍ରକ, ବେଦାନ୍ତ ଲିମିଟେଡ, ବିଆଇଏମ୍, ଡାଲମିଆ ସିମେଣ୍ଟ, ସମେତ ୨୧ଟି ବିଭିନ୍ନ ସଂଗଠନ ପ୍ରତିନିଧିତ୍ୱ କରିଥିବା ବେଳେ ମୋଟ ୧୬୬ ଟି ଟିମ୍ ଅଂଶଗ୍ରହଣ କରିଥିଲେ । ଏହି ଦୁଇଦିନିଆ ସମ୍ମିଳନୀରେ କ୍ୱାଲିଟି ସର୍କଲ, ଲିନ କ୍ୱାଲିଟି ସର୍କଲ, ୫ ଏସ, କାଇଜେନ୍ ଏବଂ ସିକ୍ସ ସିଗମା ଭଳି ଗୁଣାତ୍ମକ ଧାରଣା ସମ୍ବନ୍ଧରେ ବିଚାର ବିମର୍ଶ କରାଯାଇଥିଲା । ଏହି ଅବସରରେ ନିଜର କେସଷ୍ଟଡି ପ୍ରସ୍ତୁତ କରିବା ସହ ମଡେଲ ଗୁଡ଼ିକୁ ପ୍ରଦର୍ଶନ କରିଥିଲେ । ୫ ଏସର ଘରୋଇ ଉପକରଣର ପ୍ରଦର୍ଶନ, ଜ୍ଞାନ ପରୀକ୍ଷଣ ସକାଶେ ସମସ୍ତ ପ୍ରତିଯୋଗୀ ସଂଗଠନ ପୁରସ୍କୃତ କରାଯାଇଥିଲା । ଆର୍‌ଏସ୍‌ କ୍ରୋସାକି ଲିମିଟେଡ, ବେଲପାହାଡର କାର୍ଯ୍ୟକାରୀ ଉପାଧ୍ୟକ୍ଷ ଡଃ.ତାରାପଦ ଦାସ ସମାପନ ଉତ୍ସବରେ ବିଶିଷ୍ଟ ଅତିଥି ଭାବେ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମକୁ ରିମସର ଅଧ୍ୟକ୍ଷା, ଅଧ୍ୟାପକ, ଅଧ୍ୟାପିକା, ସମସ୍ତ କର୍ମକର୍ତ୍ତା ଏବଂ ଛାତ୍ରମାନଙ୍କ ସହାୟତାରେ ଦୁଇଦିନର କାର୍ଯ୍ୟକ୍ରମ ସଫଳତାର ସହ ସମାପନ ହୋଇଥିଲା ।

Leave A Reply

Your email address will not be published.

error: Content is protected !!