jayashree

ଆର୍‌ଏମ୍‌ଆଇଟି ଗ୍ରୁପ ଅଫ ଇନଷ୍ଟିଚ୍ୟୁସନର ରାଜ୍ୟସ୍ତରୀୟ ଡାକ ଟିକଟ ପ୍ରଦର୍ଶନୀ ଓ ସ୍ୱତନ୍ତ୍ର ଡାକ ଲଫାଫା ଉନ୍ମୋଚିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ଡାକ ପରିମଣ୍ଡଳର ମୁଖ୍ୟ ମହାଡାକପାଳ ଶୁଭେନ୍ଦୁ କୁମାର ସ୍ୱାଇଁଙ୍କ ପୌରାହିତ୍ୟରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ତିନି ଦିନିଆ ରାଜ୍ୟସ୍ତରୀୟ ଡାକ ଟିକଟ ପ୍ରଦର୍ଶନୀ ସମାରୋହ ଓଫିଲେକ୍ସ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ଡିପାର୍ଟମେଣ୍ଟ ଅଫ ପୋଷ୍ଟସର ସଚିବ ତଥା ପୋଷ୍ଟାଲ ସର୍ଭିସ ବୋର୍ଡର ଚେୟାରମ୍ୟାନ୍ ଭୀନିତ ପାଣ୍ଡେଙ୍କ କରକମଳରେ ଆର୍‌ଏମ୍‌ଆଇଟି ଗ୍ରୁପ ପକ୍ଷରୁ ବ୍ରହ୍ମପୁରର ସ୍ୱତନ୍ତ୍ର ଡାକ ଲଫାଫା ଉନ୍ମୋଚିତ ହୋଇଯାଇଛି । ବ୍ରହ୍ମପୁର ବରିଷ୍ଠ ଡାକ ଅଧିକ୍ଷକ ତାରିଣୀ ଚରଣ ପାଢ଼ୀଙ୍କ ପରାମର୍ଶ ଓ ବିଜିନେସ ଏକଜୁଟିଭ ଗୌରହରି ପଣ୍ଡାଙ୍କ ପ୍ରୟାସରେ ଆର୍‌ଏମ୍‌ଆଇଟି ଗ୍ରୁପର ନିର୍ଦ୍ଦେଶକ ରାଜେନ୍ଦ୍ର କୁମାର ପଣ୍ଡାଙ୍କ ଦ୍ୱାରା ପ୍ରସ୍ତାବିତ ଓ ମୁଖ୍ୟ ମହାଡାକପାଳ ଶ୍ରୀ ସ୍ୱାଇଁଙ୍କ ଦ୍ୱାରା ଅନୁମୋଦିତ ଏହି ସ୍ୱତନ୍ତ୍ର ଡାକ ଲଫାଫା ଉନ୍ମୋଚନ କାର୍ଯ୍ୟକ୍ରମ ଅବସରରେ ସମ୍ବଲପୁର ମହାଡାକପାଳ ରିଜୁ ଗାଙ୍ଗୁଲି ଓ ଆର୍‌ଏମ୍‌ଆଇଟି ସମ୍ପାଦକ ଇଞ୍ଜିନିୟର ଧୀରଜ କୁମାର ପଣ୍ଡା ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ, ଏହି ରାଜ୍ୟସ୍ତରୀୟ ଡାକ ଟିକଟ ପ୍ରଦର୍ଶନୀ ସକାଶେ ସାରା ଓଡିଶାରୁ ସବଡିଭିଜନ, ଡିଭିଜନ ସ୍ତରରୁ ଆରମ୍ଭ କରି ରାଜ୍ୟସ୍ତରୀୟ ପର୍ଯ୍ୟନ୍ତ ଡାକ ଟିକଟ ଡିଜାଇନିଙ୍ଗ, ପତ୍ର ଲିଖନ ଓ ଫିଲାଥେଲିକ କୁଇଜ ପ୍ରତିଯୋଗିତା କରାଯାଇ ପ୍ରତ୍ୟେକ ସ୍ତରରେ ପୁରସ୍କାର ବିତରଣ କରାଯାଇ ପରିଶେଷରେ ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟସ୍ତରୀୟ ସଫଳ ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ପୁରସ୍କାର ବିତରଣ କରାଯାଇଥିଲା । ଉକ୍ତ ଉତ୍ସବରେ ବହୁ ଡାକ ଟିକଟ ସଂଗ୍ରାହକଙ୍କୁ ତଥା ଐତିହ୍ୟ ଓ ସଂସ୍କୃତିରେ ରୁଚି ରଖୁଥିବା ପ୍ରତିଭାଧାରୀଙ୍କୁ ଡାକ ବିଭାଗ ପକ୍ଷରୁ ସମ୍ମାନିତ କରାଯାଇଥିଲା । ଓଡିଶା ଡାକ ପରିମଣ୍ଡଳର ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ବାରିକିଙ୍କ ସମେତ ସୁଶ୍ରୀ ସୁଚିସ୍ମିତା ସ୍ୱାଇଁ, ସତ୍ୟବାଦୀ ବିଶ୍ୱାଳ, ବସନ୍ତ କୁମାର ପଣ୍ଡା, ସର୍ବେଶ୍ୱର ମିଶ୍ର, ମନୋଜ ନାୟକ, ଜି. ପି. କର ପ୍ରମୁଖ ବରିଷ୍ଠ ଡାକ ଅଧିକାରୀ ତଥା ଏସପିଓ ମଧୁସ୍ମିତା ପାଢ଼ୀଙ୍କ ସମେତ ବହୁ ଡାକ କର୍ମଚାରୀଙ୍କ ମିଳିତ ସମନ୍ୱୟରେ ଏହି କାର୍ଯ୍ୟକ୍ରମର ସଫଳ ରୂପାୟାନ ହୋଇଥିଲା ।

Leave A Reply

Your email address will not be published.