ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଉତ୍ସବକୁ ସମଗ୍ର ଓଡିଶାରେ ଉତ୍ସବମୂଖର କରି ଲୋକାଭିମୁଖୀ କରାଯିବା ନିମନ୍ତେ ରାଜ୍ୟ ସରକାର ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ଅବସରରେ ବୁଧବାର ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁରସ୍ଥ ସଂସ୍କୃତି ଭବନଠାରେ ଜିଲ୍ଲାସ୍ତରୀୟ ନୂଆଁଖାଇ ଭେଟ୍ଘାଟ୍-୨୦୨୨ ବର୍ଣ୍ଣାଢ୍ୟ ସାମାରୋହରେ ଆୟୋଜିତ ହୋଇଯାଇଛି । ମା’ ସମଲେଇଙ୍କ ପାରମ୍ପରିକ ନୃତ୍ୟ ଓ ରଙ୍ଗବତୀ ନୃତ୍ୟ ତଥା ବିବିଧ ସମ୍ବଲପୁରୀ ନୃତ୍ୟରେ ତାଳେ ତାଳେ ଦୁଲୁକି ଉଠିଥିଲା ମଞ୍ଚ । ଦର୍ଶକମାନେ ମନ ଖୋଲି ଖୁସି ଜାହିର କରିଥିଲେ । ଗଞ୍ଜାମ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀ ଜୀତେନ୍ କୁମାର ପରିଡାଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଏହି ସାମାରୋହକୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଓଡିଶା ସଂଗୀତ ନାଟକ ଏକାଡେମୀର ପୂର୍ବତନ ସଚିବ ଡ଼.ପ୍ରତାପ କୁମାର ସାହାଣୀ ଓ ସଂସ୍କୃତି ବିଭାଗର ପୂର୍ବତନ ସହକାରୀ ନିର୍ଦ୍ଦେଶକ କୃଷ୍ଣ ଚନ୍ଦ୍ର ନିଶାଙ୍କ, ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ନାଟ୍ୟକାର ହରି ଚରଣ ମିଶ୍ର, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ଭାରତ ଲୀଳା ଗୁରୁ ରଙ୍କନିଧି ବେହେରା ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ବେଗୁନିଆପଡା ବ୍ଲକ କଳା ସଂଘର ଉପସଭାପତି ମହେଶ୍ୱର ବରାଡ଼ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଗୋଳାବନ୍ଧର ଆର୍ମି ପବ୍ଲିକ ସ୍କୁଲ, ବ୍ରହ୍ମପୁରର ଆଙ୍ଘର ନୃତ୍ୟୟନା, ଛତ୍ରପୁରର ପ୍ରଗତି କଳାକେନ୍ଦ୍ର, ଛତ୍ରପୁର କଳାବିକାଶ କେନ୍ଦ୍ର, ତୁଡୁକପଲ୍ଲୀର ସ୍ୱପ୍ନା ଡ୍ୟାନ୍ସ ଇନ୍ସ୍ଟିଟ୍ୟଟର କଳାକାରମାନଙ୍କ ଦ୍ୱାରା ପଶ୍ଚିମ ଓଡିଶା ସମ୍ବଲପୁରୀ ଡ୍ୟାନ୍ସ ପରିବେଷିତ ହୋଇଥିଲା । ଶେଷରେ ଅତିଥିମାନଙ୍କ ଦ୍ୱାରା କଳାକାରମାନଙ୍କୁ ମାନପତ୍ର ଦେଇ ସାମ୍ମନିତ କରାଯାଇଥିଲା । ଛତ୍ରପୁର କଳାବିକାଶ କେନ୍ଦ୍ରର ନୃତ୍ୟଗୁରୁ ଅଳକା ସାହୁଙ୍କ ନୃତ୍ୟ ଦଳ ଶ୍ରେଷ୍ଠ ବିବେଚିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଥିଲା ।