କଂଟାବାଂଜି, (ମନିଶ କୁମାର ହଂସ) : ଦୀର୍ଘ ଦୁଇ ତିନି ବର୍ଷ ହେଲା ମା’ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଖଟରେ ପଡି ମୃତ୍ୟୁ ସହ ସଂଗ୍ରାମ କରୁଛି । ଅଭାବ ଅନାଟନ ମଧ୍ୟରେ ରୋଜଗାରଶୂନ୍ୟ ଜଂଗଲୀ ଗାଁରେ ବସବାସ କରୁଥିବା ପରିବାର ଚିକିତ୍ସା ପାଇଁ ତୁରେକେଲା, କଂଟାବାଂଜି ଡାକ୍ତରଖାନାକୁ ଯାଇ ଯାଇ ନୟାନ୍ତ ହେଲେଣି । ଯାହା ଥିଲା ମା’ର ଚିକିତ୍ସାରେ ଖର୍ଚ୍ଚ ହେଲା ପରେ ମା’ର ଜୀବନ ବଂଚାଇବା ପାଇଁ ଭଉଣୀଭାଇ ଦୁହେଁ କରୋନା ସଂକ୍ରମଣକୁ ଭ୍ରୁକ୍ଷେପ ନ କରି ଦାଦନ ସର୍ଦ୍ଦାର ଠାରୁ ଆଗତୁରା ବଇନା ନେଇ ଇଟା ଗଢିବା ପାଇଁ ହାଇଦ୍ରାବାଦକୁ ଯାଇଛନ୍ତି ଦାଦନ ସାଜି । ଏପରି ଏକ ଅଭାବନୀୟ ଘଟଣା ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ମାଓପ୍ରବଣ କମେଇମୁଣ୍ଡା ପଂଚାୟତର କମେଇମୁଣ୍ଡା ଗାଁ ଭୋଇପଡାରେ ଦେଖିବାକୁ ମିଳିଛି ।
ଖବର ପାଇ ଆମ ଖବରଦାତା ଶନିବାର ଦିନ ମାଓପ୍ରବଣ ତୁରେକେଲା ବ୍ଲକ କମେଇମୁଣ୍ଡା ପଂଚାୟତର ସଦର ଗାଁ କମେଇମୁଣ୍ଡା ଭୋଇପଡାକୁ ପହଂଚିଥିଲେ । ଖବର ସଂଗ୍ରହ ବେଳେ ଚଳିତ ବର୍ଷ କରୋନା ମହାମାରୀ ରୋଗକୁ ମଧ୍ୟ ଭ୍ରୁକ୍ଷେପ ନ କରି ଆଦିବାସୀ ଜଂଗଲୀ ଗାଁର ଲୋକେ କାମ ଧନ୍ଧା ନ ପାଇ ଦାଦନ ଶ୍ରମିକ ସାଜ ବାହାର ରାଜ୍ୟକୁ ଯାଉଥିବା ଦେଖିବାକୁ ପାଇଥିଲେ । ଗତକାଲି ଶୁକ୍ରବାର ଦିନ କମେଇମୁଣ୍ଡା ଭୋଇପଡାର ପ୍ରାୟ ୩୫ରୁ ଅଧିକ ଲୋକ ହାଇଦ୍ରାବାଦର ଇଟାଭାଟିକୁ ଦାଦନ ଖଟିବାକୁ ଯାଇଥିବା ଖବର ମିଳିଥିଲା । ଘଟଣାସ୍ଥଳରେ ଖବର ସଂଗ୍ରହରୁ ଜଣାଯାଏ, ତୀର୍ଥ ଭୋଇ (ପିତା-ରାମଚନ୍ଦ୍ର ଭୋଇ), ରାଜିବ ଭୋଇ (ପିତା-ବଲଧିଆ ଭୋଇ), ସୁଶିଲା ଭୋଇ (ସ୍ୱାମୀ- ରାଜିବ ଭୋଇ), ନୁରା ଭୋଇ (ପିତା-ରାଜିବ ଭୋଇ), ରୀତା ଭୋଇ (ପିତା-ରାଜିବ ଭୋଇ), ଭାନୁମତି ଭୋଇ (ପିତା- ତପି ଭୋଇ), ରାମେଶ୍ୱର ଭୋଇ (ପିତା-ସୁଆ ଭୋଇ), ବାସମତି ଭୋଇ (ପିତା- ରାମେଶ୍ୱର ଭୋଇ), ହୃଦା ଭୋଇ (ପିତା- ତପି ଭୋଇ), ଲଖେଶ୍ୱର ଭୋଇ (ପିତା-ଅର୍ଜୁନ ଭୋଇ), ଜନ ଭୋଇ (ସ୍ୱାମୀ- ଲଖେଶ୍ୱର ଭୋଇ), ପାରବତୀ ଭୋଇ, ମନହିତା ଭୋଇ, ପିଙ୍କି ଭୋଇ (ସ୍ୱାମୀ-ମନହିରା ଭୋଇ), ବୁଲୁ ଛତ୍ରିଆ (ପିତା-ଲକ୍ଷ୍ମିକାନ୍ତ ଛତ୍ରିଆ), ତନୁ ଭୋଇ (ପିତା-କପୁରଚନ ଭୋଇ), ସୁନ୍ଦର ମାଝି (ପିତା- ନର ମାଝି) ସହ ରଂଜିତ ଭୋଇ (ପିତା- ବକୁଲ ଭୋଇ), ସବିତା ଭୋଇ (ସ୍ୱାମୀ-ରଂଜିତ ଭୋଇ), ପୁଷ୍ପାଞ୍ଜଳି ଭୋଇ (ପିତା- ବକୁଲ ଭୋଇ) ଦାଦନ ଖଟିବାକୁ ଶୁକ୍ରବାର ରାତିରେ ଯାଇଛନ୍ତି । ମା’ କୁନ୍ତଳା ଦୀର୍ଘ ଦୁଇ ତିନି ବର୍ଷ ହେଲା ଅଜଣା ରୋଗରେ ପଡି ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ଟଙ୍କା ପଇସାର ଅଭାବ ହେବାରୁ ଦାଦନ ସର୍ଦ୍ଦାରଠାରୁ ମା’ର ଚିକିତ୍ସା ପାଇଁ ବଇନା ନେଇ ରଂଜିତ ଭୋଇ ଓ ପୁଷ୍ପାଞ୍ଜଳି ଭୋଇ ଉଭୟେ ଭଉଣୀଭାଇ ଦାଦନ ସାଜିଥିବା ଥିବା ବିଷୟ ତାଙ୍କ ପିତା ବକୁଲ ଭୋଇ ଖବର ସଂଗ୍ରହ ବେଳେ ଆମ ପ୍ରତିନିଧିଙ୍କୁ କୋହଭରା କଣ୍ଠରେ କହିଛନ୍ତି ।