କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ଗତ ଅଗଷ୍ଟ ୨୦ ତାରିଖ ଦିନ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା କଣ୍ଟାବାଞ୍ଜି ଗସ୍ତ କରି ଏନ୍ଏସି କାର୍ଯ୍ୟାଳୟ ସଭାଗୃହରେ ଏକ ଜରୁରୀକାଳୀନ ବୈଠକରେ ଯୋଗ ଦେଇଥିଲେ । ବୈଠକରେ ଉତ୍କଳ ବାଳାଶ୍ରମ ପରିଚାଳନା କମିଟି ସଦସ୍ୟ ଓ ସମାଜସେବୀଙ୍କ ସମେତ ଟିଟିଲାଗଡ଼ ଉପଜିଲ୍ଲାପାଳ ମହାଜନ୍ ମନୋଜ ସତ୍ୟବାନ୍, କଣ୍ଟାବାଞ୍ଜି ତହସିଲଦାର ସମିର ବେହେରା, ବିଇଓ ସୁରେନ୍ଦ୍ର ପୁରୋହିତ, ସ୍ଥାନୀୟ ଏନ୍ଏସି ନଗରପାଳ ବରିୟାମ ସିଂ ସାଲୁଜା, କାର୍ଯ୍ୟ ନିର୍ବାହ ଅଧିକାରୀ ନିରଞ୍ଜନ ଧଳ, ଉପସ୍ଥିତ ଥିଲେ । ବୈଠକରେ ସହରର ଟ୍ରାଫିକ ସମସ୍ୟା, ବୁଲା ଗାଈଗୋରୁଙ୍କ ଉପରେ ଏସିଡ୍ ମାଡ଼ ଘଟଣା ଓ ସହରରେ ଚୋରି ରାହାଯାନି ବୃଦ୍ଧି ପାଉଥିବାରୁ ସିସି କ୍ୟାମେରା ଲଗେଇବାକୁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ପରେ ଜିଲ୍ଲାପାଳ ବିଭିନ୍ନ ସ୍ଥାନରେ ପହଞ୍ଚି ସମସ୍ୟା ଗୁଡିକ ବୁଝିବା ସହ ତାଗିତ କରିଥିଲେ । ସର୍ବ ପ୍ରଥମେ ସ୍ଥାନୀୟ ଡ଼ାକ୍ତରଖାନାକୁ ପରିଦର୍ଶନ କରି ରୋଗୀଙ୍କ ସମସ୍ୟା ସବୁ ବୁଝିଥିଲେ । ଡାକ୍ତରଖାନାରେ ସିକ୍ୟୁରିଟି ଗାର୍ଡ ଓ କର୍ମଚାରୀମାନଙ୍କ କାର୍ଯ୍ୟକୁ ଦେଖି ବିରକ୍ତି ପ୍ରକାଶ କରିବା ସହ ତାଗିତ ମଧ୍ୟ କରିଥିଲେ । ଜିଲ୍ଲାପାଳ ବାଳାଶ୍ରମ ଗୃହ ପାଇଁ ଅସ୍ଥାୟୀ ଭାବେ ପରିଚାଳନା କରିବାକୁ ରାଷ୍ଟ୍ରୀୟ ହିନ୍ଦୀ ସ୍କୁଲ ପରିସର ଓ ବିରନା ରାସ୍ତାରେ ଥିବା ନୂତନ ଭାବେ ନିର୍ମାଣ କରି ସାରିଥିବା ୧୦୦ ଶଯ୍ୟା ବିଶିଷ୍ଟ ବାଳିକା ହଷ୍ଟେଲକୁ ବୁଲି ଦେଖିଥିଲେ । ଆଶ୍ରମପଡ଼ାର ଜଗନ୍ନାଥ ମନ୍ଦିର ନିକଟରେ ନିର୍ମାଣ ହେବାକୁ ଥିବା ଅତ୍ୟାଧୁନିକ ସ୍ମାର୍ଟ ପାର୍କ ନକ୍ସା ତଦାରଖ କରି ଶୀଘ୍ର କାର୍ଯ୍ୟାରମ୍ଭ କରିବାକୁ ନିର୍ଦେଶନା ଦେଇଥିଲେ । ଏହାପରେ ଜିଲ୍ଲାପାଳ ତୁରେକେଲା ବ୍ଲକ ଝରଣୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାମୋଡ ଗ୍ରାମରେ ଚାଲିଥିବା ୫ଟି ସ୍ମାର୍ଟ ସ୍କୁଲ ବୁଲିବା ସହ ତଦାରଖ ମଧ୍ୟ କରିଥିଲେ ।
Prev Post