ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଶିଶୁ ଭାଇଭଉଣୀମାନଙ୍କୁ ଶ୍ରୀକୃଷ୍ଣ, ବଳରାମ, ରାଧା, ଯଶୋଦା, ବାସୁଦେବ, ନନ୍ଦ, ସୁଦାମା ଆଦି ବେଶରେ ସୁସଜ୍ଜିତ କରାଯାଇଥିଲା । କାର୍ଯ୍ୟକ୍ରମରେ ସଂକୁଳ ପ୍ରମୁଖ ତୁଳସୀରାମ ମେହେର, ସମାଜସେବୀ ପ୍ରଦୀପ ଜୈନ, ଶିକ୍ଷାବିତ୍ତ ନନ୍ଦକୁମାର ପାତ୍ର, ଶିଶୁ ମନ୍ଦିର ପରିଚାଳନା କମିଟି ସଭାପତି ରବିଂଦ୍ରନାଥ ଯୋଷୀ, ସଂପାଦକ ବାମଦେବ ଦାଶ, ଆଇନଜୀବୀ ସଞ୍ଜୟ ବେହେରା ପ୍ରମୁଖ ଯୋଗଦେଇ ଶିଶୁ ଭାଇଭଉଣୀଙ୍କୁ ଉତ୍ସାହିତ କରିଥିଲେ । ବିଦ୍ୟାଳୟର ପ୍ରାୟ ଦେଢ଼ ଶହ କୁନିକୁନି ଭାଇଭଉଣୀ ବିଭିନ୍ନ ପୌରାଣିକ ବେଶରେ ସଜେଇ ହୋଇଥିବା ବେଳେ ଘଣ୍ଟବାଦ୍ୟ ସହ ସିନାପାଲି ନଗର ପରିକ୍ରମା କରିଥିଲେ । ଏହି ଶୋଭାଯାତ୍ରାକୁ ସହରର ବିଭିନ୍ନ ସ୍ଥାନରେ ସାଧାରଣ ଲୋକେ ବନ୍ଧାପନା କରି ସ୍ୱାଗତ କରିଥିବା ବେଳେ ଛକମାନଙ୍କରେ ଶିଶୁ ଭାଇମାନଙ୍କ ଦ୍ୱାରା ଦହିହାଣ୍ତି ଭଙ୍ଗା ଦୃଶ୍ୟ ବେଶ ଆକର୍ଷଣୀୟ ଥିଲା । କାର୍ଯ୍ୟକ୍ରମକୁ ପ୍ରଧାନ ଆଚାର୍ଯ୍ୟ ପ୍ରଦୀପ ବାବୁ ପରିଚାଳନା କରିଥିବା ବେଳେ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ । ସେହିଭଳି ନିଲଜୀ ସରସ୍ୱତୀ ଶିଶୁ ମନ୍ଦିରଠାରେ ମଧ୍ୟ ଶିଶୁ ଭାଇଭଉଣୀମାନେ ବିଭିନ୍ନ ବେଶରେ ସଜେଇ ହୋଇ ଜନ୍ମାଷ୍ଟମୀ ପାଳନ କରିଥିଲେ । ଏଠାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ସଦସ୍ୟା ଯାଜ୍ଞସେନୀ କଟା ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ସତ୍ୟବ୍ରତ ଗହିର, ତାରାଚନ୍ଦ ପ୍ରଧାନ, ଦୀପକ ସା ପ୍ରମୁଖ ଉପସ୍ଥିତ ରହି ଭାଇଭାଉଣୀଙ୍କୁ ଉତ୍ସାହିତ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ପ୍ରସାନନ୍ଦ କୁମାରଙ୍କ ସହ ଅନ୍ୟ ଗୁରୁଜୀ ଗୁରୁମା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।