ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ମହାସମାରୋହରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ବରିଷ୍ଠ ସଂସ୍କୃତ ପଣ୍ଡିତ କୈଳାସ ଚନ୍ଦ୍ର ଶତପଥୀଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଏହି ସମ୍ଭାରରେ ମନୋରଞ୍ଜନ ଦାଶ ଏବଂ ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶଙ୍କ ତତ୍ତ୍ୱାବଧାନରେ ଜନ୍ମାଷ୍ଟମୀ ପର୍ବରେ ଶ୍ରୀକୃଷ୍ଣ, ରାଧା ଓ ଯଶୋଦା ବେଶରେ ବହୁ କୁନି କୁନି ବିଦ୍ୟାର୍ଥୀ ଅଂଶଗ୍ରହଣ କରି ମେଳାରେ ବେଶ ମଉଜ ମନାଇଥିଲେ । ଏହି ଉତ୍ସବରେ ବିଦ୍ୟାଳୟର ଏବଂ ସ୍ଥାନୀୟ ଅଞ୍ଚଳର କୁନି କୁନି ପ୍ରାୟ ୧୧୦ ଶିଶୁ ରାଧା କୃଷ୍ଣ ବେଶରେ ବିଦ୍ୟାଳୟକୁ ଆସିବା ସହ ଛତ୍ରପୁରର ଗୌରିଶଙ୍କର ମନ୍ଦିରକୁ ପରିଦର୍ଶନ କରିଥିଲେ । ଛତ୍ରପୁର ତଥା ଓଡିଶାର ବରେଣ୍ୟ ପ୍ରବକ୍ତା ଭାଗବତ ଭାସ୍କର ଜଗନ୍ନାଥ ପଣ୍ଡା ଛୋଟ ଛୋଟ କୋମଳମତି ଶିଶୁମାନଙ୍କୁ ସରଳରେ ଭକ୍ତି ଭାବନାର ଅମୃତବାଣୀ ଶୁଣାଇଥିଲେ । ଶେଷ ପର୍ଯ୍ୟାୟରେ ବିଦ୍ୟାଳୟର ଶିଶୁମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରବେଷଣ ହେବା ସହ ବେଶଧାରୀ ଶିଶୁମାନଙ୍କ ଅଭିଭାବକ ଅଭିଭାବିକାମାନଙ୍କୁ ବିଦ୍ୟାଳୟ ତରଫରୁ ଉପହାର ପ୍ରଦାନ କରାଯାଇଥିଲ । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା ସମିତିର ସମ୍ପାଦକ ଆଡଭୋକେଟ ପଦ୍ମଚରଣ ସାହୁ, ସଭାପତି ଉପେନ୍ଦ୍ର ମହାନ୍ତି, କୋଷାଧ୍ୟକ୍ଷ ଏ.ରାବଣା ରାଓ, ଉପ-ସଭାପତି ଗୀତା ପାଢୀ, ସଦସ୍ୟା ସୁନୀତା ସେଠୀ ଏବଂ ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟ, ସେବକ, ସେବିକା, ଅଭିଭାବକ, ଅଭିଭାବିକା, ସ୍ଥାନୀୟ ଜନସାଧାରଣ ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ ।