ନର୍ଥ ଆଫ୍ରିକା ଟ୍ୟୁନିସିଆ ଦେଶ ଆନୁକୂଲ୍ୟରେ ଆୟୋଜିତ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁର କ୍ଷୁଦ୍ର ଚଳଚ୍ଚିତ୍ର “ଅନନ୍ୟା” ବିଶ୍ଵ ଦରବାରରେ ପୁରସ୍କୃତ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ କଳା ଓ ନାଟ୍ୟ ଗୋଷ୍ଠୀର ଏକ ଏନ୍ତୁଡ଼ିଶାଳ ଭାବେ ଖ୍ୟାତି ଅର୍ଜ୍ଜନ କରିଛି । ନୃତ୍ୟମ୍ କଳା ଗବେଷଣା କେନ୍ଦ୍ର, ହିଞ୍ଜିଳିକାଟୁର କ୍ଷୁଦ୍ର ଚଳଚ୍ଚିତ୍ର “ଅନନ୍ୟା” ଯାହାକି ସ୍ୱଚ୍ଛତା ଉପରେ ଆଧାରିତ । ଯାହା ବିଶ୍ଵ ଦରବାରରେ ଗତକାଲି ପୁରସ୍କୃତ ହୋଇଛି । “ଫିବସ୍ ଫେଷ୍ଟିଭାଲ”-୨୦୨୨ ଉତ୍ତର-ଆଫ୍ରିକାର ଟ୍ୟୁନିସିଆ ଦେଶ ଆୟୋଜନ କରିଥିଲେ । ଏଥିରେ ପ୍ରାୟ ୨୦ରୁ ଅଧିକ ଦେଶ ଭାଗ ନେଇଥିଲେ । ଏହା ପ୍ରାୟ ୩ଦିନ ଧରି ଆୟୋଜନ ହୋଇଥିଲା । ଫିବସ୍ର ନିର୍ଦ୍ଦେଶକ ୱାଲିଡ୍ ବିନ୍ ହାସାନି ଏହାକୁ ଆୟୋଜନ କରିଥିଲେ । ଚଳଚ୍ଚିତ୍ରରେ ସହ ନିର୍ଦ୍ଦେଶକ ଭାବେ ଲତିଫା ପରିଚାଳନା କରିଥିଲେ । ଗତକାଲି ହିଞ୍ଜିଳିକାଟୁର କ୍ଷୁଦ୍ର ଚଳଚ୍ଚିତ୍ର “ଅନନ୍ୟା” ଆମ ଦେଶ ପାଇଁ ଗର୍ବ ଓ ଗୌରବ ଆଣିଦେଇଛି । ଏହାର ନିର୍ଦ୍ଦେଶନା ଭାର ଡି.କେ.କ୍ରିଷ୍ଣା ନେଇଥିବା ବେଳେ ଷ୍ଟୋରୀ ରାଇଟର ଭାବେ ପ୍ରିୟମ୍ବଦା ପଟ୍ଟନାୟକ ଏବଂ ଅଭିନୟରେ ସୋନମ୍, ମଧୁସୂଦନ ଦାୟିତ୍ଵ ନେଇଥିଲେ । କ୍ରିଷ୍ଣା ଡି.କେ.ଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ରହିବା ସତ୍ୱେ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହାୟତାରେ ସୁଦୂର ଟ୍ୟୁନିସିଆ ଯାଇ ପୁରସ୍କାର ଲାଭ କରିପାରିଛନ୍ତି । ଯାହାକି ସାରା ଭାରତ ବର୍ଷ ପାଇଁ ଏକ ଗର୍ବ ଓ ଗୌରବର ବିଷୟ ହୋଇପାରିଛି । “ଅନନ୍ୟା” ଚଳଚ୍ଚିତ୍ରକୁ ଦୁଇଟି (୧. ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ୨.ବେଷ୍ଟ୍ ସେନ୍ସେସନ୍) ଭାବେ ପୁରସ୍କୃତ ହୋଇଛି । ଏହି ସମ୍ମାନଜନକ ପାଇଁ ହିଞ୍ଜିଳିକାଟୁ ମାଟିର କଳାକୁ ଆଜି ବିଶ୍ଵ ଦରବାରରେ ସମ୍ମାନୀତ । ନୃତ୍ୟମ୍ ଅନୁଷ୍ଠାନର ଗୁରୁ ଡ଼ି.କେ. କ୍ରିଷ୍ଣା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍ ଓ ସାଧୁବାଦ ଜଣାଇ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହା ସହିତ ହିଞ୍ଜିଳିକାଟୁ ଅଞ୍ଚଳବାସୀଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି । ଅଗଷ୍ଟ ୧୫ ତାରିଖ ପବିତ୍ର ୭୬ତମ ସ୍ୱାଧୀନତା ଦିବସ ଅବସରରେ ଏହି ପୁରସ୍କାରଟି ପାଇ ହିଞ୍ଜିଳିକାଟୁବାସୀ ବେଶ୍ ଆନନ୍ଦ ଅନୁଭବ କରିଛନ୍ତି ବୋଲି ଜଣାପଡ଼ିଛି । ହିଞ୍ଜିଳିକାଟୁର ମଞ୍ଚକଳାକାର ବିଦେଶ ମାଟିକୁ ଯାଇ ଭାରତ ବର୍ଷର ତ୍ରିରଙ୍ଗା ପତାକା ଉଡ଼ାଇବାର ସୌଭାଗ୍ୟଲାଭ ପାଇଥିବାରୁ ଉକ୍ତ ଅଞ୍ଚଳର କଳାକାର ଗୋଷ୍ଠୀ ନିଜକୁ ବେଶ ଗର୍ବିତ ବୋଲି ହୃଦବୋଧ କରିଛନ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।