ପାଟଣାଗଡ, (ସଦାଶିବ ସରାଫ) : ସ୍ଵାଧୀନତାର ୭୫ ବର୍ଷ ତଥା ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଭାରତମାତା କ୍ଲବ ପରିସରରେ ଅଗଷ୍ଟ ୧୫ ତାରିଖ ସନ୍ଧ୍ୟା ସମୟରେ ଅମୃତ ମହୋତ୍ସବ ଧୁମଧାମ୍ରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ସାଂସଦ ଶ୍ରୀମତୀ ସଂଗୀତା ସିଂଦେଓ ସମ୍ମାନିତ ଅତିଥି ଭାବେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଓ ପୂର୍ବତନ ମନ୍ତ୍ରୀ ତଥା ପାଟଣା ମହାରାଜ କନକବର୍ଦ୍ଧନ ସିଂହଦେଓ ଯୋଗ ଦେଇଥିଲେ ।ପ୍ରଥମେ ଅତିଥିମାନେ ଭାରତ ମାତାଙ୍କ ଚିତ୍ରରେ ପ୍ରଦୀପ ପ୍ରଜ୍ଵଳନ କରିଥିଲେ । ଭାରତ ମାତା କ୍ଲବର ସମ୍ପାଦକ ରମେଶ ଜୈନ ସ୍ୱାଗତ ଭାଷଣ ଦେଇଥିବା ବେଳେ ସଭା ପରିଚାଳନା କରିଥିଲେ କ୍ଲବର ବରିଷ୍ଠ ସଭ୍ୟ ଅରୁଣ କୁମାର ପଟ୍ଟନାୟକ । ସମସ୍ତ ଅତିଥିମାନେ ସ୍ୱାଧୀନ ଭାରତର ଜନନାୟକଙ୍କୁ ମନେ ପକାଇ ସେମାନଙ୍କର ସ୍ମୃତିଚାରଣ କରିଥିଲେ । ଏହି ଅମୃତ ମହୋତ୍ସବରେ ସାଂସଦ ଶ୍ରୀମତୀ ସଂଗୀତା ସିଂଦେଓ ରାଜନୈତିକ ଭେଦଭାବ ଭୁଲି ଅଞ୍ଚଳରେ ବିକାଶ କାମ ନିମନ୍ତେ ଆଗେଇ ଆସିବା ପାଇଁ ଆହ୍ୱାନ ଦେଇଥିଲେ । ଜନସାଧାରଣଙ୍କ ପାଇଁ ସବୁବେଳେ ଆମ ଦ୍ୱାର ଖୋଲା ରହିଛି ବୋଲି ଶ୍ରୀମତୀ ସଂଗୀତା ସିଂଦେଓ ଓ ସାଂସଦ ନିରଞ୍ଜନ ବିଶି ନିଜ ବକ୍ତବ୍ୟରେ କହିଥିଲେ । ଏହି କ୍ଲବର ଉନ୍ନତି ପାଇଁ ଆମ ପାଣ୍ଠିରୁ ଆର୍ଥିକ ସାହାଯ୍ୟ ଦେବୁ ବୋଲି ରାଜ୍ୟସଭା ସାଂସଦ ଶ୍ରୀ ବିଶି କହିଥିଲେ । ପରିଶେଷରେ କ୍ଲବର ଉପସଭାପତି ନାଭ ରାଓ ଧନ୍ୟବାଦ ଦେଇଥିଲେ । ଏହି ଅମୃତ ମହୋତ୍ସବରେ ସହରର ବିଭିନ୍ନ ଅନୁଷ୍ଠାନର କର୍ମକର୍ତା ମାନେ ଅଂଶଗ୍ରହଣ କରିଥିଲେ ।