
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ’ ଜିଲ୍ଲାପାଳ ଦେବାଶିଷ ସିଂହଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ଜିଲ୍ଲାର ୬ଟି ବ୍ଲକ୍ରୁ ବିଭିନ୍ନ ସଂଗଠନ ମାଧ୍ୟମରେ ମନୋନୀତ ଶତାଧିକ ଛାତ୍ରଛାତ୍ରୀ ଏହି ଯୁବ ମହୋତ୍ସବରେ ଅଂଶଗ୍ରହଣ କରିଛନ୍ତି । ପ୍ରଥମ ଦିନରେ ଜିଲ୍ଲା ସଂସ୍କୃତି ଭବନଠାରେ ନୁକ୍କଡ଼ ନାଟକ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଏବଂ ସୋନପୁର କଲେଜଠାରେ କବିତା ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସକାଳ ଅଧିବେଶନରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ଓ ଶ୍ରୀମତୀ ଅଞ୍ଜଳିନା ପ୍ରଧାନଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲା କ୍ରୀଡା ବିଭାଗ ପକ୍ଷରୁ କ୍ରୀଡା ଅଧିକାରୀ ଚିତ୍ତରଞ୍ଜନ ମିଶ୍ରଙ୍କ ଆୟୋଜିତ ହୋଇଥିଲା । ଅପରାହ୍ନ ଅଧିବେଶନରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ମିଷ୍ଟର ସୋନପୁର ବିଜୟ ମହାରଣାଙ୍କୁ ଉଭୟ ଅତିରିକ୍ତ ଜିଲ୍ଲାପାଳ ଏବଂ ପୌରାଧ୍ୟକ୍ଷା ଶ୍ରୀମତୀ ତାମସୀ ତମସ୍ମିତା ନାୟକ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ନୁକ୍କଡ଼ ନାଟକ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଁ ଯଥାକ୍ରମେ ୧୦,୦୦୦ ଟଙ୍କା, ୭, ୫୦୦ ଟଙ୍କା ଓ ୫,୦୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ସେହିପରି ଚିତ୍ରାଙ୍କନ ଓ କବିତା ଲିଖନ ପ୍ରତିଯୋଗିତାର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାରୀଙ୍କୁ ଯଥାକ୍ରମେ ୩,୦୦୦ ଟଙ୍କା, ୨,୦୦୦ ଟଙ୍କା ଓ ୧,୦୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ଆସନ୍ତା କାଲି ଜିଲ୍ଲା ସଂସ୍କୃତି ଭବନଠାରେ ଲୋକଗୀତ ଓ ଲୋକନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ ।