ପାଟଣାଗଡ଼, (ଗୋରେଖନାଥ ବରିହା) : ଗତ ଅଗଷ୍ଟ ୫ ତାରିଖ ପାଟଣାଗଡ଼ ସହର ମଧ୍ୟସ୍ଥଳୀରେ ଥିବା ଅମୃତ କଳସ ସୁନା ଦୋକାନରୁ ୬ ଜଣ ବନ୍ଧୁକଧାରୀ ଡକାୟତ ସ୍ପଷ୍ଟ ଦିବାଲୋକରେ ଦୋକାନ ମାଲିକ ମୁକେଶ ଜୈନଙ୍କୁ ଗନ ପଏଣ୍ଟରେ ରଖି ପାଖାପାଖି ୨ କେଜି ସୁନା ଓ ୫୦ ହଜାର ଟଙ୍କା ଲୁଟି ନେଇଥିଲେ । ଦିନ ଦ୍ୱିପହରରେ ସ୍ପଷ୍ଟ ଦିବାଲୋକରେ ପୋଲିସ ଷ୍ଟେସନଠାରୁ ୨୦୦ ମିଟର ଦୂରରେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଲୁଟ କରିଥିବା ପାଟଣାଗଡ଼ବାସୀଙ୍କ ପାଇଁ ଏହା ପ୍ରଥମ ଘଟଣା ଥିଲା । ଖୁଲମଖୁଲା ଏଭଳି ଡକାୟତି ଘଟଣାକୁ ନିନ୍ଦା କରିବା ସହ ବଲାଙ୍ଗିର ଏସ୍ପି, ପୋଲିସ ଡ଼ିଜି ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ ଅନେକ ସଂଗଠନ । ଯାହା ଫଳରେ ପୋଲିସ ଚାପରେ ଆସି ତଦନ୍ତକୁ ତ୍ୱରାନ୍ୱିତ କରିଥିବା ବେଳେ ବିଭିନ୍ନ ସ୍ଥାନରେ ଚଢାଉ କରି ଚାରି ଡକାୟତଙ୍କୁ ଗିରଫ କରିଥିବା ପୋଲିସ ସୂଚନା ଦେଇଛି ଏବଂ ମୁଖ୍ୟ ଅଭିଯୁକ୍ତ ସହ ଚାରି ଜଣ ବର୍ତ୍ତମାନ ପର୍ଯ୍ୟନ୍ତ ଫେରାର ଥିବା ଜଣାପଡିଛି । ଗିରଫ ହୋଇଥିବା ଅଭିଯୁକ୍ତ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ଫେରାର ଅଭିଯୁକ୍ତମାନେ ବାହାର ରାଜ୍ୟର ବୋଲି ପୋଲିସ ଜାଣିବାକୁ ପାଇଛି । ପାଟଣାଗଡ଼ ସମଲେଶ୍ୱର ଗାଁର ଶେଷଦେବ ବଗର୍ତ୍ତି, ରାମପୁରର ଆୱାଜ ମେହେର, ବରଗଡ଼ ଜିଲ୍ଲା ବିଜେପୁର ଅଞ୍ଚଳର ଚନ୍ଦ୍ର ଓରଫ ଚନ୍ଦ୍ରମଣି ମେହେର ଏବଂ ସୁବର୍ଣ୍ଣପୁର ଜିଲ୍ଲା ଖୁଟପାଲି ଗାଁର ଅଲେଖ ବଢ଼େଇଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କଠାରୁ ୪୨ ହଜାର ୫୦୦ ଟଙ୍କା ଡକାୟତିରେ ବ୍ୟବହୃତ ଦେଶୀ ବନ୍ଧୁକ, ଦୁଇଟି ୮ ଏମ୍ଏମ୍ ଜୀବନ୍ତ ଗୁଳି, ପଲସର ବାଇକ୍ ସହ ମାଲିକଠାରୁ ଲୁଟି ନେଇଥିବା ଏକ ସ୍ୟାମସଙ୍ଗ ମୋବାଇଲ ଫୋନ ପୋଲିସ ଜବତ କରିଥିବା ବେଳେ ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପାଟଣାଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜ୍ୟୋତିର୍ମୟ ଭୁକ୍ତା ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଅନ୍ୟ ପକ୍ଷରେ ଏହି ଡକାୟତି ଘଟଣାରେ ଆଉ ଚାରି ଡକାୟତ ସୁନା ନେଇ ବାହାର ରାଜ୍ୟକୁ ଫେରାର ମାରିଥିବା ବେଳେ ପୋଲିସର ସ୍ୱତନ୍ତ୍ର ଟିମ୍ ବଲାଙ୍ଗିର ଏସ୍ପିଙ୍କ ତତ୍ୱାବଧାନରେ ତଦନ୍ତ ଚଳାଇଥିବା ସୂଚନା ଦେଇଛନ୍ତି । ଏଥିରେ ପାଟଣାଗଡ଼ ଥାନା ଅଧିକାରୀ ଅନନ୍ତ ପ୍ରଧାନ ଉପସ୍ଥିତ ଥିଲେ ।