csstore

ଗଣ୍ତାବାହାଲି ମେହେର ସମାଜ ତରଫରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଗଣ୍ତାବାହାଲି ମେହେର ସମାଜ ଆନୁକୂଲ୍ୟରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୦ତମ ଜନ୍ମଜୟନ୍ତୀ ସ୍ଥାନୀୟ କଲ୍ୟାଣ ମଣ୍ତପ ପରିସରରେ ରବିବାର ସମାରୋହରେ ପାଳିତ ହୋଇଯାଇଛି । ସମାଜ ସମିତିର ସଭାପତି ମହେଶ୍ୱର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜୟନ୍ତୀ ସଭାରେ ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଏବଂ ମୁଖ୍ୟବକ୍ତା ଭାବରେ ଯୁବ ସାହିତ୍ୟିକ ଗୌରାଙ୍ଗ କୁମାର ସାହୁ ଯୋଗ ଦେଇଥିଲେ । ସେହିଭଳି ସମ୍ମାନିତ ଅତିଥି ଭାବରେ ସିନାପାଲି ଗଙ୍ଗାଧର ସାରସ୍ୱତ ସମିତିର ସଭାପତି ତଥା ଯୁବ ଲେଖକ ବୈଷ୍ଣବ ମେହେର, ସରପଂଚ କୌଶଲ୍ୟା ମେହେର, ଶିକ୍ଷକ ଗୋବର୍ଦ୍ଧନ ମେହେର, ସମାଜ ସଂପାଦକ ନିରଞ୍ଜନ ମେହେର ପ୍ରମୁଖ ଉପସ୍ଥିତ ରହି କବି ଗଙ୍ଗାଧରଙ୍କ ସୃଷ୍ଟି ଏବଂ ଜୀବନ ଶୈଳୀ ବର୍ତ୍ତମାନ ଆମ ସମସ୍ତଙ୍କ ଆଦର୍ଶ ହେବା ଉଚିତ ବୋଲି ମତ ବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ଯୁବ ଅଧ୍ୟାପକ ଗୁପ୍ତେଶ୍ୱର ମେହେର ସ୍ୱାଗତ ଓ ପରିଚୟ ପ୍ରଦାନ କରିଥିଲେ । ଏହା ପରେ କବିଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ସ୍ଥାନୀୟ ହାଇସ୍କୁଲର ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ । ଏହି ଅବସରରେ ଚିତ୍ରଶିଳ୍ପୀ ଲିନା ମେହେର ଏବଂ ଡାକ୍ତର ରାଜେଂଦ୍ର କୁମାର ମେହେରଙ୍କୁ ସମାଜ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଡିସମ୍ବର ମେହେର ଓ ଘନଶ୍ୟାମ ମେହେର ମାନପତ୍ର ପାଠ କରିଥିଲେ । ଏ ଅବସରରେ ଅଧ୍ୟାପକ କବି ଧୃବଚରଣ ପଧାନ ଏବଂ ଶିକ୍ଷୟତ୍ରୀ କବି ମାନିନୀ ମେହେରଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ପ୍ରାୟ ତିରିଶ ଜଣ କବି କବୟତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ । ଏ ଅବସରରେ ଛାତ୍ରଛାତ୍ରୀ, ମହିଳାଙ୍କୁ ନେଇ ଅନୁଷ୍ଠିତ ସଙ୍ଗୀତ, ବକ୍ତୁତା ଏବଂ ରଙ୍ଗୋଲି ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ଯଜ୍ଞେଶ୍ଵର ମେହେର ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମରେ ଅଂଚଳର ଶତାଧିକ ସାହିତ୍ୟ ଓ ଗଙ୍ଗାଧର ପ୍ରେମୀ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.