କଂଟାବାଂଜି, (ମନିଶ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ଉପାନ୍ତ ମାଓପ୍ରବଣ ଅଂଚଳର ୩ଟି ଗାଁର ସରକାରୀ ପ୍ରାଥମିକ ବିଦ୍ୟାଳୟ ବନ୍ଦ ହେବା ନେଇ ସରକାରୀ ନିର୍ଦ୍ଦେଶନାମା ଜାରି ହୋଇଛି । ମିଳିଥିବା ସୂଚନା ଅନୁସାରେ ଜିଲ୍ଲାର ୧୪ଗୋଟି ବ୍ଲକର ୧୯୨ ଗୋଟି ସରକାରୀ ପ୍ରାଥମିକ ବିଦ୍ୟାଳୟ ବନ୍ଦ ହେବା ନେଇ ଘୋଷଣା ହୋଇଥିବା ବେଳେ ତୁରେକେଲା ବ୍ଲକର ୩ଟି ସ୍କୁଲ ରହିଛି । ମାଓ ପ୍ରବଣ ତୁରେକେଲା ବ୍ଲକର ଉପାନ୍ତ ଏବଂ ମାଓ କବ୍ଜାରେ ଥିବା କମେଇମୁଣ୍ଡା ପଂଚାୟତର ଝରଣିପଦର ଓ ରହେନଭଟା ଏବଂ ମହଖଣ୍ଡ ଗ୍ରାମ ପଂଚାୟତର ସନ୍ଧିବାହାଲି ଗାଁରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିବା ନେଇ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ୩ଗୋଟି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୨୦ରୁ କମ ଛାତ୍ରୀଛାତ୍ର ପଢୁଥିବା ଦର୍ଶାଇ ବନ୍ଦ ନିର୍ଦ୍ଦେଶ ଦିଆଯାଇଥିବା ସୂଚନାରୁ ପ୍ରକାଶ । ପ୍ରକାଶ ଥାଉ କି କମେଇମୁଣ୍ଡା ଓ ମହଖଣ୍ଡ ଉଭୟ ଦୁଇଟି ଗ୍ରାମ ପଂଚାୟତ ସଂପୂର୍ଣ୍ଣ ଭାବେ ମାଓପ୍ରବଣ ଅଂଚଳ ହୋଇଥିବା ବେଳେ ଝରଣିପଦର, ରହେନଭଟା ଏବଂ ସନ୍ଧିବାହାଲି ୩ଟି ଗାଁ ଜଂଗଲ ଘେରରେ ରହିଛ ି । ଝରଣିପଦର ଓ ରହେନଭଟା ଦୁଇଟି ସ୍କୁଲର ଛାତ୍ରୀଛାତ୍ର ଶିକ୍ଷାଦାନ ପାଇଁ ୧ କି.ମି. ଦୂର କମେଇମୁଣ୍ଡାରେ ଥିବା ସରକାରୀ ଉନ୍ନୀତ ହାଇସ୍କୁଲ ଓ ସନ୍ଧିବାହାଲି ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ର ମଧ୍ୟ ୧ କି.ମି. ଦୂର ଭରୁଆକାନି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପରବର୍ତି ଶିକ୍ଷା ଗ୍ରହଣ କରିବା ନେଇ ଝରଣିପଦର, ରହେନଭଟା ଓ ସନ୍ଧିବାହାଲି ଗ୍ରାମର ଜନସାଧାରଣଙ୍କଠାରେ କ୍ଷୋଭ ପ୍ରକାଶ ପାଇଥିବା ଜଣାଇଛନ୍ତି ।