ଦୀର୍ଘ ୩୦ ବର୍ଷ ଧରି ଦଣ୍ଡନାଚରେ କୃଷ୍ଣ ଭୂମିକାରେ ଅଭିନୟ କରୁଥିବା ଜଗବନ୍ଧୁ ସା’ ଦିନ ମଜୁରିଆ : ଏଯାଏଁ ପାଇ ନାହାନ୍ତି କଳାକାର ଭତ୍ତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘ ୩୦ ବର୍ଷ ଧରି ଦଣ୍ଡନାଚରେ କୃଷ୍ଣ ଭୂମିକାରେ ଅଭିନୟ କରୁଥିବା ଜଗବନ୍ଧୁ ସା’ ଦିନ ମଜୁରିଆ ଭାବେ କୁଟୁମ୍ବ ପ୍ରତିପୋଷଣ କରୁଥିବା ବେଳେ ଏଯାଏଁ ତାଙ୍କୁ ମିଳିନାହିଁ କଳାକାର ଭତ୍ତା । ଏଭଳି ଜଣେ ଉଚ୍ଚକୋଟୀର କଳାକାର କେତେବେଳେ ଖଲିପତ୍ର ବିକି ଜୀବିକା ନିର୍ବାହ କରୁଛନ୍ତି ତ ଆଉ କେତେବେଳେ ଦିନ ମଜୁରିଆ ଭାବେ ଖଟି ଖଟି ପରିବାର ପୋଷୁଛନ୍ତି । ବଲାଙ୍ଗିର ବ୍ଲକ ଅନ୍ତର୍ଗତ ବାରପୁଡୁଗିଆ ଗାଁର ଜଗବନ୍ଧୁ ସା’ଙ୍କ ଡାକ ନାଁ ହେଉଛି କୃଷ୍ଣ । କୃଷ୍ଣ ଭୂମିକାରେ ଅଭିନୟ କରୁଥିବା କୃଷ୍ଣ ବଲାଙ୍ଗିର ତଥା ଆଖପାଖ ଅଞ୍ଚଳରେ ବେଶ ପରିଚିତ । ଯେଉଁ କାମ କରୁଥିଲେ ବି ତାଙ୍କ ମୁଖରେ ଗୀତର ଲହରି ଶୋଭା ପାଉଥାଏ । ସେ କହିଛନ୍ତି କଳାକାର ଭତ୍ତା ପାଇଁ କେମିତି ଆବେଦନ କରାଯାଏ ମୁଁ ଜାଣି ନାହିଁ, ଜାଣିଲେ ନିଶ୍ଚୟ ଆବେଦନ କରିବି । କିନ୍ତୁ ଜିଲ୍ଲା ସଂସ୍କୃତି ବିଭାଗର ଏହା ମୁଖ୍ୟ କର୍ତ୍ତବ୍ୟ ହେବା ଉଚିତ୍‌ ଯେ, କୃଷ୍ଣଙ୍କ ଭଳି ନିଷ୍ଠାପର କଳାକାରମାନଙ୍କୁ ଖୋଜି ସେମାନଙ୍କୁ ଉଚିତ ସହଯୋଗ ଓ ସମ୍ମାନ ପ୍ରଦାନ କରିବା । କୃଷ୍ଣଙ୍କ ପାଖରେ ବିପିଏଲ୍‌ କାର୍ଡ ଖଣ୍ଡିଏ ଅଛି, ସରକାରୀ ଚାଉଳ ଗଣ୍ଡାଏରେ ପରିବାର ପ୍ରତିପୋଷଣ ପାଇଁ ସହଯୋଗ ମିଳୁଛି ବୋଲି ସେ କହନ୍ତି । ଦୀର୍ଘ ୩୦ ବର୍ଷର କଳାକାର ଜୀବନ ମଧ୍ୟରୁ ୧୪ ବର୍ଷ କାଳ କଅଗାଁ ଦଣ୍ଡନାଚ ଦଳରେ କୃଷ୍ଣ ଭୂମିକାରେ ଅଭିନୟ କରିଛନ୍ତି ଏବଂ ଯଥୋଚିତ ପ୍ରଶଂସା ଭାଜନ ହୋଇପାରିଛନ୍ତି । ତାଙ୍କ ଭଳି ଜଣେ କଳାକାରଙ୍କୁ ସରକାରୀ ସ୍ତରରେ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ମିଳିବା ଏକାନ୍ତ ଆବଶ୍ୟକ । ଏହି କଳାକାରଙ୍କୁ ଯୋଗାଯୋଗ କରିବା ପାଇଁ ମୋବାଇଲ ନଂ ୮୬୫୮୫୬୨୬୩୪, ୮୪୫୭୯୯୧୪୩୩` ।

Leave A Reply

Your email address will not be published.