ନର୍ଲା ପ୍ରେସ୍‌ ଆସୋସିଏସନ୍‌ର ଜରୁରୀକାଳୀନ ବୈଠକ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବାଗପୁରସ୍ଥିତ ଶୁଦ୍ଧାନନ୍ଦ ଆଶ୍ରମ ପରିସରରେ ଆଜି ନର୍ଲା ପ୍ରେସ୍ ଆସୋସିଏସନ୍‌ର ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ନର୍ଲା ବ୍ଲକ ପ୍ରେସ୍ ଆସୋସିଏସନ୍‌ର ସଭାପତି ଦୀପକ ଠାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଉକ୍ତ ବୈଠକରେ ଓଜେୟୁର ରାଜ୍ୟ ସଭାପତି ଶଶୀଭୂଷଣ ପ୍ରହରାଜ ଓ କଳାହାଣ୍ଡି ଜିଲ୍ଲା ସଂପାଦକ ଲକ୍ଷ୍ମଣ ସ୍ୱାଇଁ ଯୋଗ ଦେଇଥିଲେ । ପ୍ରେସ୍ ଏସୋସିଏସନ୍ ସଂପାଦକ ଅଜୟ କୁମାର ସେନାପତି ବୈଠକର ଆଭିମୁଖ୍ୟ ସଂପର୍କରେ ପ୍ରକାଶ କରିଥିଲେ । ଏହି ଅବସରରେ ଜିଲ୍ଲାର ପ୍ରତିଷ୍ଠିତ ସାମ୍ବାଦିକ ପ୍ରଶାନ୍ତ ପଣ୍ଡାଙ୍କୁ କିଛିଦିନ ତଳେ ହୋଇଥିବା ଆକ୍ରମଣ ଉପରେ ତୀବ୍ର ନିନ୍ଦା କରାଯାଇଥିଲା । ସମ୍ବାଦିକ ବୃତ୍ତି ଆଜି ଅସୁରକ୍ଷିତ ହୋଇପଡିଛି । ରାଜ୍ୟ ସରକାର ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନକୁ ପ୍ରଣୟନ କରି ସାମ୍ବାଦିକମାନଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ବୈଠକରେ ଦାବୀ କରାଯାଇଥିଲା । ସାମ୍ବାଦିକମାନଙ୍କ ବିରୁଦ୍ଧରେ କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ବିଭିନ୍ନ ଅଣପଞ୍ଜିକୃତ ଗଣମାଧ୍ୟମ ସାହାଯ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ବଦନାମ୍ କରିବା ସହ ମିଥ୍ୟା ଓ ଅସାମ୍ବିଧାନିକ ଶବ୍ଦ ପ୍ରୟୋଗ କରୁଥିବା ଦ୍ୱାରା ଉକ୍ତ ବୈଠକରେ ନିନ୍ଦା କରାଯାଇଥିଲା । ତେଣୁ ଆଗାମୀ ଦିନରେ ଯଦି ଏହିପରି ଘଟଣା ନଜରକୁ ଆସେ ତାହେଲେ ସଂଘ ତରଫରୁ ଥାନା ଓ ପ୍ରେସ୍ କାଉନସିଲ ଅଫ୍ ଇଣ୍ଡିଆଙ୍କ ଦପ୍ତରରେ ଅଭିଯୋଗ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା । ସେହିପରି ଖବର ସଂଗ୍ରହରେ ସଂଯମତା ଓ ସମ୍ବାଦ ପରିବେଷଣରେ ଶାଳୀନତା ରକ୍ଷା କରିବାକୁ ରାଜ୍ୟ ସଭାପତି ଶଶୀ ଭୂଷଣ ପ୍ରହରାଜ ସମସ୍ତ ପ୍ରତିନିଧିମାନଙ୍କୁ ପରାମର୍ଶ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବରେ ବିଶିଷ୍ଟ କବି ତଥା ଅବସରପ୍ରାପ୍ତ ଶିକ୍ଷକ ମଧୁସୂଦନ ରାଉତ ଯୋଗଦେଇ ବିଭିନ୍ନ ପରାମର୍ଶ ଦେଇଥିଲେ । ସେହିପରି ସଚେତନ ନାଗରିକ ଥବିରାମ ବୁଦ୍ଧିଆ, କୁମୁଦ ନାଏକ, ନଗେନ୍ଦ୍ର ପଧାନ ଓ ନରସିଂହ ଥାପା ପ୍ରମୁଖ ଯୋଗଦାନ କରିଥିଲେ । ଏହି ବୈଠକରେ ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଯୋଗଦେଇ ସଂଘର ନିତି ନିୟମକୁ ପାଳନ କରିବାକୁ ଶପଥ ଗ୍ରହଣ କରିଥିଲେ । ଆଗାମୀ ଦିନରେ ସଂଘକୁ ବ୍ୟାପକ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ବରିଷ୍ଠ ସାମ୍ବାଦିକ ସୁଶାନ୍ତ କୁମାର ଚାନ୍ଦ, ମନୋଜ କୁମାର ଷଡ଼ଙ୍ଗୀ, ତ୍ରିଲୋଚନ ଗୌଡ, ପ୍ରଦୀପ କୁମାର ଗୌଡ ପ୍ରମୁଖ ବିଭିନ୍ନ ପ୍ରସ୍ତାବ ରଖିଥିଲେ । ଡୋଲାମଣି ସାହୁ, ଚିନ୍ତାମଣି ନାଏକ, ଶୁଭମ ରୋହିଲା, ଖଗେଶ୍ୱର କୁମାର, ଗଣେଶ ଭୋଇ, ତପନ ସାହୁ, ବାବୁଲାଲ, ନୀଳକଣ୍ଠ ବେହେରା, ସଞ୍ଜିବ ଦାସ, ଅଜୟ ପଣ୍ଡା ଓ ‘ସମ୍ୱାଦ’ ବିତରକ କୈଳାସ ସାଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ଶେଷରେ ଶାନ୍ତନୁ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.