୧୩୦୦୦ ଫୁଟ୍‌ ଉଚ୍ଚ ପର୍ବତରେ ଉଡ଼ିଲା କୋଶଲ ରାଜ୍ୟର ବେନର

ବରଗଡ, (ନିରୋଜ କୁମାର ପାଣୀ) : ଦୀର୍ଘ ବର୍ଷରୁ ଲାଗି ରହିଥିବା ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବୀ ବର୍ତ୍ତମାନ ଏକ ଭିନ୍ନ ମୋଡ଼ ନେବାରେ ଲାଗିଛି । ପର୍ବତାରୋହୀଙ୍କ ପର୍ବତ ଶିଖରରେ ତ୍ରିରଙ୍ଗା ପତାକା ଉଡ଼ାଇବା ପରି କୋଶଲ ରାଜ୍ୟ ଦାବୀ କରୁଥିବା କୋଶଲ ପ୍ରେମୀ ମଧ୍ୟ ୧୩୦୦୦ ଫୁଟ ପାହାଡ଼ ଉପରକୁ ଯାଇ କୋଶଲ ବେନର ସହ କୋଶଲ ପତାକା ଉଡ଼ାଇଛନ୍ତି ଏବଂ ନିଆରା ଢ଼ଙ୍ଗରେ ସ୍ୱତନ୍ତ୍ର କୋଶଲ ରାଜ୍ୟ ପାଇଁ ଦାବୀ ଜଣାଇଛନ୍ତି । ଏଣୁ ଏଣିକି କୋଶଲ ରାଜ୍ୟ ପାଇଁ ତଥା ମା’ ମାଟିର ମୁକ୍ତି ଲାଗି ଆନ୍ଦୋଳନକୁ ବ୍ୟାପକ କରିବାର ସଂକଳ୍ପ ନେଇ ଉତ୍ତରାଖଣ୍ଡ ରାଜ୍ୟର ୧୩ ହଜାର ଫୁଟ୍‌ ଉପରେ ବଦ୍ରିନାଥ ଧାମରେ ପହଞ୍ଚି ଗୁହାରି କଲା କୋଶଲାଞ୍ଚଳର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାରର ସଦସ୍ୟ ବିକାଶ ଅଗ୍ରୱାଲ ଓ ତାଙ୍କ ସାଥୀ । ଓଡ଼ିଶା ସରକାର ପଶ୍ଚିମ ଓଡ଼ିଶାବାସୀଙ୍କୁ ଦୀର୍ଘ ବର୍ଷରୁ ଅଣଦେଖା ଓ ଅବହେଳା କରିବା ସହିତ ବୈମାତୃକ ମନୋଭାବ ପୋଷଣ କରୁଥିବାରୁ ପଶ୍ଚିମାଞ୍ଚଳ ଲୋକେ ବାଧ୍ୟ ହୋଇ ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ପାଇଁ ଆନ୍ଦୋଳନ ଜାରି ରଖିଛନ୍ତି । ତଥାପି ମଧ୍ୟ ପଶ୍ଚିମାଞ୍ଚଳ ଲୋକଙ୍କ ମନୋଭାବ ପ୍ରତି ଆଦୌ ସମ୍ବେଦନଶୀଳ ନହୋଇ ଯେଉଁ ଭାବରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ବିଭିନ୍ନ କ୍ଷେତ୍ରରେ ପାତର ଅନ୍ତର କରାଯାଉଛି କୋଶଳ ଆନ୍ଦୋଳନକାରୀ ଆହୁରି ଉତ୍ତେଜିତ ହୋଇ ବିଧାନସଭା ପର୍ଯ୍ୟନ୍ତ ଯାଇ ଆନ୍ଦୋଳନ କରିଛନ୍ତି । ତେବେ ଆଗକୁ ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ପାଇଁ ଏହି ଆନ୍ଦୋଳନକୁ ବ୍ୟାପକ କରିବା ସହିତ ଜାତୀୟ ସ୍ତରରେ ପହଞ୍ଚାଇବା ଉଦ୍ଦେଶରେ ବରଗଡ଼ର ସାମାଜିକ ସଙ୍ଗଠନ ସଂକଳ୍ପ ପରିବାର ଓଡ଼ିଶା ରାଜ୍ୟରୁ ଉତ୍ତରାଖଣ୍ଡ ରାଜ୍ୟକୁ ପହଞ୍ଚି ପ୍ରଥମେ ବାବା କେଦାରନାଥ ଓ ବଦ୍ରୀନାଥ ଧାମରେ କୋଶଲ ରାଜ୍ୟ ଆନ୍ଦୋଳନ ପାଇଁ ଭଗବାନଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି ଏବଂ ୧୩୦୦୦ ଫୁଟ ପାହାଡ଼ ଉପରେ କୋଶଲ ରାଜ୍ୟର ମେପ ସହିତ ଦେବୀ ମା’ ସମଲେଶ୍ଵରୀଙ୍କ ଫଟୋ ଥିବା ବେନର ସ୍ଥାପନ କରି ନିଆରା ଢ଼ଙ୍ଗରେ ସ୍ୱତନ୍ତ୍ର କୋଶଲ ରାଜ୍ୟ ପାଇଁ ଦାବୀ କରିଛନ୍ତି । କୋଶଲ ଆନ୍ଦୋଳନର ମର୍ମକୁ ବର୍ତମାନର ଯୁବପିଢ଼ି ଭଲରେ ବୁଝିସାରିଛନ୍ତି ଏବଂ ଏବେ କୋଶଲ ଆନ୍ଦୋଳନ ଧୀରେ ଧୀରେ ଭୟଙ୍କର ରୂପ ଧାରଣ କରିବାରେ ଲାଗିଲାଣି ଯାହା ଆଗାମୀ ଦିନରେ ଏକ ଜ୍ୱାଳାମୁଖୀ ହୋଇ ବିସ୍ପୋରଣ ହେବ ନିଶ୍ଚୟ ।

Leave A Reply

Your email address will not be published.