ପତଙ୍ଗ ଅନୁଷ୍ଠାନର ପଞ୍ଚାୟତସ୍ତରୀୟ ଶିଶୁମେଳା ଅନୁଷ୍ଠିତ

ସମ୍ବଲପୁର : ପତଙ୍ଗ ଅନୁଷ୍ଠାନର ଯୁବ ସ୍ୱେଚ୍ଛାସେବୀ ଓ କେଏନଏଚର ମିଳିତ ଆନୁକୂଲ୍ୟରେ ପଞ୍ଚାୟତସ୍ତରୀୟ ଶିଶୁମେଳା ଅନୁଷ୍ଠିତ ହୋଇଯାଇଛି । ସମ୍ବଲପୁର ଜିଲ୍ଲାର ନୂଆ ବରଙ୍ଗାମାଲ ଗ୍ରାମ ପଞ୍ଚାୟତ ଅର୍ନ୍ତଗତ ଧାଧଲୋମୁଣ୍ଡା ଗ୍ରାମଠାରେ ପଞ୍ଚାୟତସ୍ତରୀୟ ଶିଶୁମେଳା ପତଙ୍ଗ ଅନୁଷ୍ଠାନର ଯୁବ ସ୍ୱେଚ୍ଛାସେବୀ ଓ କେଏନଏଚର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଗ୍ରାମାଞ୍ଚଳରେ ଥିବା ଶିଶୁ ପ୍ରତିଭାମାନଙ୍କର ସହ ଭାଗିତା ବୃଦ୍ଧି, ଅର୍ନ୍ତନିହିତ ଗୁଣର ବିକାଶ ସହିତ ଗ୍ରାମାଞ୍ଚଳରେ ଯୁବ ସ୍ୱେଚ୍ଛାସେବୀମାନଙ୍କର ନେତୃତ୍ୱର ବିକାଶ ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଧାଧଲୋମୁଣ୍ଡା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ଦେହୁରୀ ଶିଶୁମାନେ କିଭଳି ଭାବରେ ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମରେ ନିଜର ମତ ରଖିବେ, ପତଙ୍ଗର କାର୍ଯ୍ୟକର୍ତ୍ତା ସୂର୍ଯ୍ୟନାରାୟଣ ଦାଶ ଓ ଧ୍ରୁବଚରଣ ନାୟକ ସମସ୍ତ ଶିଶୁ କିପରି ଶିକ୍ଷାରୁ ବଞ୍ଚିତ ନ ରହିବେ ଏବଂ ନିଜର ଅଧିକାରକୁ ସାବ୍ୟସ୍ଥ କରିପାରିବେ ଅଭିଭାବକ ଓ ଅନ୍ୟମାନଙ୍କୁ କିପରି ସହଯୋଗ କରିବେ ବିଷୟ ଆଦିରେ ଆଲୋକପାତ କରିଥିଲେ ।

ସେହିଭଳି ପତଙ୍ଗର କାର୍ଯ୍ୟକର୍ତ୍ତା ବିଜୟ ନାୟକ ଗ୍ରାମାଞ୍ଚଳର ଯୁବ ସ୍ୱେଚ୍ଛାସେବୀମାନେ କାର୍ଯ୍ୟକ୍ରମରେ ନେତୃତ୍ୱ ନେବେ ସେହି ବିଷୟ ଉପରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ସରକାରୀ ଅନୁଷ୍ଠାନ ଗୁଡିକର ବ୍ୟକ୍ତି ବିଶେଷ, ସ୍ୱେଚ୍ଛାସେବୀ ଓ ଅଞ୍ଚଳବାସୀ ଯୋଗ ଦେଇଥିଲେ । ଏହି ଅବସରରେ ନୂଆ ବରଙ୍ଗାମାଲ ଗ୍ରାମପଞ୍ଚାୟତର ପ୍ରାୟ ୧୫୦ରୁ ଅଧିକ ଶିଶୁ ଯୋଗଦେଇ ନାଚ, ଗୀତ, ଅଭିନୟ ଓ ବକ୍ତୃତା ମାଧ୍ୟମରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ଅନିରୁଦ୍ଧ, ଧରଣୀ, ସୁଖଦେବ, ପ୍ରଦୀପ କାର୍ଯ୍ୟକ୍ରମକୁ ଆୟୋଜନ ଓ ପରିଚାଳାନାରେ ସକ୍ରିୟ ସହାୟତା କରିଥିବା ବେଳେ ଶେଷରେ ଗଲିନା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.