ଭୁବନେଶ୍ୱର, (କେପିଏନ୍ଏସ୍) : ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏକ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟର କୋଭିଡ୍ ସ୍ଥିତି ସମୀକ୍ଷା କରିଛନ୍ତି । ୧୮ରୁ ୫୯ ବର୍ଷ ବୟସ୍କଙ୍କ ପାଇଁ ମାଗଣା ବୁଷ୍ଟର ଡୋଜ୍ ଆରମ୍ଭ କରାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଟୀକାକରଣ, ସଚେତନତା ଏବଂ ସଠିକ ସୂଚନା ପ୍ରସାରଣ ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି । ଦୈନିକ କୋଭିଡ଼୍ ପରୀକ୍ଷା ସଂଖ୍ୟା ବଢ଼ାଇବା କଲ୍ ସେଣ୍ଟରକୁ ଚବିଶଘଣ୍ଟିଆ ଭିତ୍ତିରେ କାର୍ଯ୍ୟକ୍ଷମ କରାଇବା ଏବଂ ଜନସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । କଲେଜ, ଛାତ୍ରାବାସ, ଉଚ୍ଚଶିକ୍ଷାନୁଷ୍ଠାନ ଆଦିରେ ଛାତ୍ରଛାତ୍ରୀଙ୍କର ଟୀକାକରଣ ପାଇଁ ବ୍ୟାପକ ଅଭିଯାନ ଆରମ୍ଭ କରାଯିବ । ବୈଠକର ନିଷ୍ପତ୍ତି ଅନୁସାରେ ସହରାଞ୍ଚଳରେ ପ୍ରତି ୱାର୍ଡ଼ ଏବଂ ଗ୍ରାମାଞ୍ଚଳରେ ଗ୍ରାମ ଓ ପଂଚାୟତୱାରୀ ଟୀକାକରଣ କରାଯିବ । ଏହି କାର୍ଯ୍ୟରେ ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନୱାଡି କର୍ମୀ, ଜନ ପ୍ରତିନିଧି, ସେଚ୍ଛାସେବୀ ଅନୁଷ୍ଠାନ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସାମିଲ କରାଯିବ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Next Post